‘ବେଓ୍ଵଫା ସନମ୍’ର ଅଭିନେତା କ୍ରିଶନ୍ କୁମାରଙ୍କ ଝିଅ ତିଶାଙ୍କ ୨୦ ବର୍ଷ ବୟସରେ ନିଧନ, କ୍ୟାନ୍ସରରେ ଥିଲେ ପୀଡ଼ିତ

ଅଭିନେତା ତଥା ପ୍ରଯୋଜକ କ୍ରିଶନ୍ କୁମାରଙ୍କ ଝିଅ ତିଶା କୁମାରଙ୍କ ୨୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଟି-ସିରିଜ୍ର ସିଇଓ ଭୂଷଣ କୁମାରଙ୍କ ସମ୍ପର୍କୀୟ ଭଉଣୀ ତିଶା ଜୁଲାଇ ୧୮ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ବର୍ଷ ଧରି ସେ କ୍ୟାନ୍ସର ସହ ଲଢ଼େଇ କରୁଥିଲେ । ତିଶାଙ୍କ କ୍ୟାନ୍ସର ଚିକିତ୍ସା ଜର୍ମାନୀରେ ଚାଲିଥିଲା । ସେହିଠାରେ ହିଁ ତାଙ୍କର ନିଧନ ହୋଇଛି । ୨ ମାସ ପରେ ତିଶା ନିଜର ୨୧ତମ ଜନ୍ମଦିନ ପାଳନ କରିଥାନ୍ତେ ।
ଭାରତର ବଡ଼ ମ୍ୟୁଜିକ୍ ଲେବଲ୍ ତଥା ଫିଲ୍ମ ପ୍ରଡକ୍ସନ କମ୍ପାନୀ ଟି-ସିରିଜ୍ ତିଶାଙ୍କ ନିଧନରେ ଅଫିସିଆଲ୍ ବୟାନ ଜାରି କରିଛି । କମ୍ପାନୀର ପ୍ରବକ୍ତା ବୟାନରେ କହିଛନ୍ତି, ‘ଏକ ରୋଗ ସହ ଦୀର୍ଘ ଲଢ଼େଇ ପରେ ଗତକାଲି କ୍ରିଶନ୍ କୁମାରଙ୍କ ଝିଅ ତିଶା କୁମାରଙ୍କ ନିଧନ ହୋଇଛି । ଏହା ଆମ ପରିବାର ପାଇଁ ବହୁତ କଠିନ ସମୟ । ଆମେ ବିନମ୍ର ଅନୁରୋଧ କରୁଛୁ ଯେ ପରିବାରର ଗୋପନୀୟତାକୁ ସମ୍ମାନ ଦିଆଯାଉ’ ।
୨୦୦୩ ସେପ୍ଟେମ୍ବର ୬ରେ ଜନ୍ମିତ ତିଶା ପ୍ରାୟତଃ ଟି-ସିରିଜ୍ ଫିଲ୍ମଗୁଡ଼ିକର ସ୍କ୍ରିନିଂରେ ନଜର ଆସୁଥିଲେ । ୨୦୨୩ ନଭେମ୍ବର ୩୦ରେ ତାଙ୍କୁ ରଣବୀର କପୁର ଓ ରଶ୍ମିକା ମନ୍ଦାନା ଷ୍ଟାରର୍ ଫିଲ୍ମ ‘ଆନିମଲ୍’ର ସ୍କ୍ରିନିଂରେ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟରେ ତାଙ୍କୁ ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିବାର ଦେଖାଯାଇଥିଲା । ତିଶା କୁମାର, ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାରଙ୍କ ସମ୍ପର୍କୀୟ ଭଉଣୀ ।
ଟି-ସିରିଜ୍ର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ସାନଭାଇ ଅଭିନେତା କ୍ରିଶନ୍ କୁମାର ୫ଟି ଫିଲ୍ମରେ କାମ କରିଛନ୍ତି । କିନ୍ତୁ ୧୯୯୫ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ବେଓ୍ଵଫା ସନମ୍’ ବହୁତ ବଡ଼ ହିଟ୍ ହୋଇଥିଲା ଏବଂ ଏହାର ଗୀତ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା । ‘ଅଚ୍ଛା ସିଲା ଦିୟା ତୁନେ ମେରେ ପ୍ୟାର୍ କା’ ଏହି ଫିଲ୍ମର ଗୀତ ଥିଲା । ଏଥିରେ କ୍ରିଶନ୍ କୁମାର ଅଭିନୟ କରି ସମସ୍ତଙ୍କ ମନ ଜିିଣିଥିଲେ ।