ମୁମ୍ବାଇ ବିଲିଡିଂ ଭୁଶୁଡିବା ଘଟଣାରେ ୧୯ ମୃତ, ମୃତକଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ଉଦ୍ଧବ ଠାକରେ

ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର କୁର୍ଲା ନାଏକ ନଗରରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭୁଶୁଡ଼ି ପଡ଼ିଥିବା କୋଠାତଳେ ୨୦ରୁ ୨୫ ଜଣ ଚାପି ହୋଇ ରହିଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜାରି କରିଛନ୍ତି । ତେବେ ଗୁରୁତରଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସୂଚନା ମିଳିଛି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିବା ସହିତ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ପାଣ୍ଠିରୁ ପ୍ରତ୍ୟେକଙ୍କ ପରିବାରରୁ ୨ ଲକ୍ଷ ଟଙ୍କା ଦିଆଯିବା ପାଇଁ ଘୋଷଣା କରିଛନ୍ତି। ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ୫୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତ ।

ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତାଙ୍କ କହିବାମୁତାବକ, ଏହି କୋଠାଟି ଦୁର୍ବଳ ହୋଇପଡ଼ିଥିବାବେଳେ ସେଠାରେ ରହୁଥିବା ଲୋକମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ସେମାନେ ଘର ଖାଲି ନକରି ସେହି ଭଙ୍ଗା ବିଲ୍ଡିଂରେ ରହିଆସୁଥିଲେ । ବିଲ୍ଡିଂ ତଳେ ଫସି ରହିଥିବାଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ହେବ ବୋଲି ଶ୍ରୀ ଠାକରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଜାତୀୟ ରାଜଧାନୀ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଏକ ୩ ମହଲା କୋଠା ଭୁଶୁଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.