ବାହାଘର ବରଯାତ୍ରୀ ଶୋଭାଯାତ୍ରା ପାଲଟିଲା ଶେଷ ଯାତ୍ରା, ଗଛରେ କାର ପିଟିହୋଇ ୬ ମୃତ

ଉତ୍ତର ପ୍ରଦେଶର କୁଶିନଗରରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ବିବାହ ବରଯାତ୍ରୀରେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇଥିଲା ଗାଡ଼ି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁର୍ଘଟଣାଗ୍ରସ୍ତ କାରରେ ୮ ଜଣ ଯାତ୍ରୀ ରହିଥିଲେ ।
ଖବର ମୁତାବକ, କୁଶିନଗର ଜିଲ୍ଲାର ପଡରୌନା ପନିୟହଭା ରାସ୍ତାରେ ଘଟିଛି । ଗାଁ ସାମ୍ନାରେ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା । ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଗ୍ୟାସ କଟରର ସାହାଯ୍ୟ ନିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଘଣ୍ଟାର କଠିନ ପରିଶ୍ରମ ପରେ ମୃତଦେହଗୁଡ଼ିକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।
ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଅନ୍ୟ ତିନି ଜଣଙ୍କର ବି ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ବିବାହ ଉତ୍ସବରେ ଶୋକର ଛାୟା ଖେଳିଯାଇଥିଲା । ଅନ୍ୟପଟେ ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଗୋରଖପୁର ପଠାଯାଇଛି ।
Alos Read : ବେଙ୍ଗାଲୁରୁ ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍, ବିମାନବନ୍ଦର ସୁରକ୍ଷା ନେଇ ପ୍ରଶ୍ନବାଚୀ