ଜନ୍ମାଷ୍ଟମୀ ଥିଲା, ସମସ୍ତେ ଥିଲେ ବେଶ୍ ଖୁସି । ଶ୍ରୀକୃଷ୍ଣଙ୍କୁ ନୌକା ବିହାର କରାଇବା ପାଇଁ କିଛି ମହିଳା ଶୋଭାଯାତ୍ରା କରି ଯାଉଥିଲେ । ଡିଜେ ଗୀତରେ ନାଚି ନାଚି ଚାଲିଥିଲେ ସେମାନେ । ହେଲେ ଏତିକି ବେଳେ ମାଡ଼ି ଆସିଥିଲା ମୃତ୍ୟୁ, ଆଉ ତାଙ୍କୁ ଟାଣି ନେଇ ପଳାଇଥିଲା ।
ଦୁର୍ଘଟଣା ଏତେ ଛାତିଥରା ଥିଲା ଯେ ଦେଖଣାହାରୀଙ୍କ ଚିତ୍କାରରେ ଫାଟି ପଡ଼ିଥିଲା ଗାଁ ଦାଣ୍ଡ । ମହିଳାଙ୍କ ମୁଣ୍ଡ ଫାଟି ଯାଇଥିଲା, ବେକ ଭାଙ୍ଗି ପଡ଼ିଥିଲା । ଏମିତି ଭୟାନକ ମୃତ୍ୟୁକୁ ଆଜି ପର୍ଯ୍ୟନ୍ତ ହୁଏତ କେହି ଏତେ ପାଖରୁ ଦେଖି ନ ଥିବେ ।
ଦୁର୍ଘଟଣା ରାଜସ୍ଥାନର ବାଡ଼ମେରରେ ଘଟିଛି । ଡିଜେ ଗୀତରେ ନାଚୁଥିବା ବେଳେ ଜଣେ ମହିଳାଙ୍କ ଓଢ଼ଣୀ ଜେନେରେଟରରେ ଫସିଯାଇଥିଲା, ଯାହାଫଳରେ ସେ ଟାଣି ହୋଇପଡ଼ିଥିଲେ । ଏଥିରେ ତାଙ୍କ ମୁଣ୍ଡଟି ଫାଟିଯିବା ସହ ସେ ଜେନେରେଟର ଉପରେ ପଡ଼ିଯାଇଥିଲେ । ଆଉ ଏହାପରେ ଯାହା ଘଟିଥିଲା, ତାହା ଦେଖି ଲୋକଙ୍କ ହୋଶ୍ ଉଡ଼ିଯାଇଥିଲା ।
ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଦୁର୍ଘଟଣା ଗତକାଲି ଅପରାହ୍ନ ୪ଟାରେ ଘଟିଥିଲା । ମୃତା ମହିଳା ହେଲେ, କୁଣ୍ଡଳ ନିବାସୀ ମାଫି ଦେବୀ । ସେ ଗାଁର ଅନ୍ୟ ମହିଳାଙ୍କ ସହ ମିଶି ଶ୍ରୀକୃଷ୍ଣଙ୍କୁ ନୌକା ବିହାର କରାଇବା ପାଇଁ ପାଖ ପୋଖରୀକୁ ଯାଉଥିଲେ । ରାସ୍ତାରେ ସମସ୍ତେ ଡିଜେ ଗୀତରେ ନାଚି ନାଚି ଚାଲିଥିଲେ । ଏହି ସମୟରେ ହଠାତ୍ ସେ ଜେନେରେଟର ପାଖକୁ ଚାଲିଆସିବାରୁ ବଡ଼ ଦୁର୍ଘଟଣା ଘଟିଥିଲା ।
ଖବର ବିଷୟରେ ଜାଣିବା ପରେ ମହିଳାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣା ପରେ ଜେନେରେଟର ଚାଳକ ଫେରାର ହୋଇଯାଇଛନ୍ତି । ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।