ହିମାଚଳରେ ବର୍ଷାର ତାଣ୍ଡବ; ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର, ମାଟି ତଳେ ଦବିଗଲା ଅନେକ ଯାନବାହନ
ଦେଶର ଅଧିକାଂଶ ଭାଗରେ ଗୁରୁବାର ରାତିରୁ ଶୁକ୍ରବାର ସକାଳ ଯାଏ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ ପାହାଡ଼ିଆ ଅଞ୍ଚଳମାନଙ୍କରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର ରାଜଧାନୀ ଶିମ୍ଲାର ଆଖପାଖ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁ ରାସ୍ତାରେ ଯାଉଥିବା ଅନେକ ଗାଡ଼ି ମାଟି ତଳେ ଦବିଯାଇଛି ।
ପ୍ରବଳ ବର୍ଷା ମଧ୍ୟରେ ଯାନବାହନଗୁଡ଼ିକ ପାହାଡ଼ ଦେଇ ଯାଉଥିବା ବେଳେ ହଠାତ୍ ବଡ଼ ବଡ଼ ପଥର ଖଣ୍ଡ ପାହାଡ଼ ଉପରୁ ଖସିଥିଲା । ଫଳରେ ରାସ୍ତାରେ ଯାଉଥିବା ଯାନବାହନଗୁଡ଼ିକ ଏହା ସଂସ୍ପର୍ଶରେ ଆସି ମାଟି ତଳେ ଦବି ଯାଇଥିଲା । ପାଖାପାଖି ୩ରୁ ୪ଟି ଗାଡ଼ି ଏଠାରେ ଫସି ରହିଥିଲା । କିନ୍ତୁ କୌଣସି ବି ପ୍ରକାରେ ଗାଡ଼ିରେ ଥିବା ଲୋକମାନେ ନିଜ ଜୀବନ ରକ୍ଷା କରି ନେଇଥିଲେ ।
ଘଟଣାସ୍ଥଳରେ ଲୋକଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିର ଚାଳକମାନେ ସେମାନଙ୍କ ଜୀବନ ରକ୍ଷା କରିଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେବା ପରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଭୂସ୍ଖଳନ ପରେ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି ।
ପ୍ରବଳ ବର୍ଷା ମଧ୍ୟରେ ପାହାଡ଼ ଅଞ୍ଚଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମୁଦ୍ର ପତ୍ତନଠାରୁ ଉଚ୍ଚ ପୃଷ୍ଠଭୂମି ଥିବା ହିମାଚଳର ଜିଲ୍ଲାଗୁଡ଼ିକରେ ରାସ୍ତା ଆହୁରି ଅଧିକ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଏବଂ ଖରାପ ପାଣିପାଗକୁ ନେଇ ସ୍ଥାନୀୟ ପ୍ରଶାସନ ଆଲର୍ଟ ଜାରି କରିଛି । ଏହାସହିତ ହିମାଚଳର ଅନେକ ଜିଲ୍ଲାରେ ଏବେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।
ସେପଟେ ଭୟଙ୍କର ବର୍ଷାରେ ଦିଲ୍ଲୀର ହାଲ୍ ବେହାଲ୍ ହୋଇପଡ଼ିଛି । କେଉଁଠି ବସ୍ ବୁଡ଼ି ଯାଇଛି ତ କେଉଁଠି କାର୍ ବୁଡ଼ି ଯାଇଛି । ରାସ୍ତାରେ ନଈ ପାଣିର ସୁଅ ଛୁଟିଛି । ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟେ ପାଣିରେ ଲୋକେ ଯିବାଆସିବା କରୁଛନ୍ତି ।