ବାତ୍ୟା ଫେଙ୍ଗଲ ପ୍ରଭାବ : ତାମିଲନାଡୁରେ ଭୂସ୍ଖଳନ, ପୋତି ହୋଇଗଲେ ପିଲାଙ୍କ ସହିତ ୭ ଜଣ

ବାତ୍ୟା ଫେଙ୍ଗଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ତିରୁବନ୍ନାମଲଇ ଜିଲ୍ଲାରେ ଭୂସ୍ଖଳନ ହେବା ଯୋଗୁଁ ଦୁଇ ପରିବାରର ୭ ଜଣ ଦବିଛନ୍ତି । ଏଥିରେ ପିଲା ମଧ୍ୟ ରହିଛନ୍ତି । ତେବେ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ପୋଲିସ, ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି ।

ଖବର ମୁତାବକ, ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡ ତଳେ ଥିବା ବିଓସି ନାଗରରେ ଏକ ଭୂସ୍ଖଳନ ହୋଇଛି । ବାତ୍ୟା ଫେଙ୍ଗଲ ଯୋଗୁ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଛି । ମୂଷଳଧାରାରେ ବର୍ଷା ଲାଗି ରହିବାରୁ ଚେନ୍ନାଇର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି ।

ଜିଲ୍ଲା କଲେକ୍ଟର ଡି ଭାସ୍କର ପାଣ୍ଡିଆନ୍ କହିଛନ୍ତି ଯେ, ଘର ଭିତରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି । ତାଙ୍କର କୌଣସି ପତ୍ତା ମିଳିନାହିଁ । ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫେଙ୍ଗଲ୍’ ଗତକାଲି ରାତିରେ ପୁଡୁଚେରୀର କରାଇକଲ୍ ଏବଂ ତାମିଲନାଡ଼ୁର ମହାବଲିପୁରମ୍ ମଧ୍ୟରେ ସମୁଦ୍ର ଉପକୂଳରେ ମାଡ଼ ହୋଇଛି । ବାତ୍ୟା ଫେଙ୍ଗଲ ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ରାସ୍ତାରେ ବାନ୍ୟା ପରିସ୍ଥିତି ଉପୁଜିଛି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ଆଗେଇ ଆସିଛି । ବାତ୍ୟା ପ୍ରଭାବରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ଚେନ୍ନାଇ ଏୟାରପୋର୍ଟକୁ ରବିବାର ଦିନ ବନ୍ଦ ରଖାଯାଇଥିଲା । ବାତ୍ୟା ଲାଣ୍ଡଫଲ ହେବା ପରେ ଏୟାରପୋର୍ଟ ପୁଣି କାର୍ଯ୍ୟକ୍ଷମ ହୋଇଛି । ତେବେ ଅନେକ ଉଡାଣ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।