ଶିମ୍ଲାରେ ଭୂସ୍ଖଳନ, ଖବରକାଗଜ ନେଇ ଯାଉଥିବା ଗାଡ଼ି ଉପରେ ପାହାଡ଼ରୁ ଖସିଲା ପଥର; ୧ ମୃତ

ହିମାଚଳ ପ୍ରଦେଶରେ କାଲକା-ଶିମ୍ଲା ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଛି । ଏହା ସଂସ୍ପର୍ଶରେ ଆସି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ମୁତାବକ, ରାଜ୍ୟର ସୋଲନ୍ ଜିଲ୍ଲାରେ କାଲକା-ଶିମ୍ଲା ଜାତୀୟ ରାଜପଥରେ ଏକ ଏସ୍ୟୁଭି ଖବରକାଗଜ ନେଇ ଯାଉଥିବା ବେଳେ ହଠାତ୍ ଭୂସ୍ଖଳନର ଶିକାର ହୋଇଥିଲା । ପାହାଡ଼ ଉପରୁ କିଛି ପଥର ଖଣ୍ଡ ଗାଡ଼ି ଉପରେ ଖସିଥିଲା । ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ଏବଂ ଜଣେ ମହିଳାଙ୍କ ସମେତ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟାରେ ୪ ଜଣ ବ୍ୟକ୍ତି ଖବରକାଗଜ ନେଇ ଏସ୍ୟୁଭି ଗାଡ଼ିରେ ଶିମ୍ଲା ଯାଉଥିଲେ । ଏହି ସମୟରେ ଦତ୍ୟାର ଓ ଚୌକି ଟର୍ଣ୍ଣ ନିକଟରେ ହଠାତ୍ ପାହାଡ଼ ଉପରୁ ପଥର ଖଣ୍ଡଗୁଡ଼ିକ ଗାଡ଼ି ଉପରେ ଖସି ପଡ଼ିଥିଲା ।
ପୋଲିସ କହିଛି ଯେ ଗତ କିଛି ଦିନ ହେବ ଅଞ୍ଚଳରେ ବର୍ଷା ଲାଗି ରହିଛି ଏବଂ ଏଠାରେ ଯାନବାହାନ ଚଳାଚଳ ପାଇଁ ରାସ୍ତା ବନ୍ଦ କରି ଦିଆଯାଇଛି । ଗାଡ଼ି ଚାଳକ ରାଜପଥର ଦ୍ୱିତୀୟ ଲେନ୍ରେ ଯାଉଥିଲେ । ଏହି ସମୟରେ ଉପରୁ ପଥର ଖସିଥିଲା ।
ସୋଲନ ଏସ୍ପି ଗୌରବ ସିଂ କହିଛନ୍ତି, ମୃତକ ହେଲେ ଦେବରାଜ (୪୦), ସେ ପଞ୍ଜାବର ବାସିନ୍ଦା । ଆହତମାନେ ହେଲେ, ଗାଡ଼ି ଚାଳକ କୁଲଦୀପ ସିଂ ଓ ବନ୍ଦନା ସୋନ୍ଧି । ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ । ୩ ଜଣଙ୍କୁ ପରଓ୍ଵାନୁ ଇଏସ୍ଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।