ଜମ୍ମୁ କଶ୍ମୀର: ବୈଷ୍ଣୋଦେବୀ ଭବନ ରାସ୍ତାରେ ଭୂସ୍ଖଳନ, ୩ ମୃତ, ଅନେକ ଫସିଥିବା ଆଶଙ୍କା

ଜମ୍ମୁ କଶ୍ମୀରରେ ଥିବା ବୈଷ୍ଣୋଦେବୀ ଭବନ ଯିବା ରାସ୍ତାରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ପନ୍ଛିରେ ଥିବା ହେଲିପ୍ୟାଡ ନିକଟରେ ଭୂସ୍ଖଳନ ହୋଇଥିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଅନେକ ଶ୍ରଦ୍ଧାଳୁ ଫସିଥିବା ଆଶଙ୍କା କରାଯାଉଛି । ମାତା ବୈଷ୍ଣୋ ଦେବୀ ଶ୍ରୀଇନ ବୋର୍ଡ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବୋର୍ଡର ସିଇଓ କହିଛନ୍ତି, ମାତା ବୈଷ୍ଣୋଦେବୀଙ୍କ ପାଖକୁ ଯାଉଥିବା ରାସ୍ତାରେ ଭୂସ୍ଖଳନ ଯୋଗୁଁ ବଡ ପଥର ପଡିଛି । ମାତା ବୈଷ୍ଣୋ ଦେବୀ ଶ୍ରୀଇନ ବୋର୍ଡର ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭବନ ଠାରୁ ୩ କିମି ଆଗକୁ ଏହି ଘଟଣା ଘଟିଛି । ୨.୩୫ ମିନିଟରେ ଘଟଣା ଘଟିଥିବା ଜଣାପଡିଛି । ଭୂସ୍ଖଳନ ହୋଇଥିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତଦେହ ଜବତ ହୋଇଛି । ମୃତକ ଦ୍ୱୟ ମହିଳା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଛି । ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ଚାଲିଛି ।

ସୂଚନା ମୁତାବକ, ପାଣିପାଗ ଖରାପ ହେବା ଯୋଗୁଁ ଭୂସ୍ଖଳନ ହୋଇଥିବା ଜଣାପଡିଛି । ଲଗାତାର ମୂଷଳଧାରାରେ ବର୍ଷା ହେବା ଯୋଗୁଁ ଭୂସ୍ଖଳନ ହୋଇଥିବା ଜଣାପଡିଛି । ଘଟଣା ସମୟରେ ରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ ନଥିଲା । ତେବେ ଘଟଣା ପରେ ଭବନ ରାସ୍ତାରେ ଶ୍ରଦ୍ଧାଳୁଙ୍କ ଯିବାଆସିବା ଉପରେ ରୋକ ଲଗାଯାଇଛି ।

ତେବେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଯିବାଆସିବା କରିବା ସମୟରେ ସତର୍କ ରହିବାକୁ କୁହାଯାଇଛି । ଭୂସ୍ଖଳନ ପରେ ରାସ୍ତା ସଫା କରାଯାଇଛି । ଭବନ ରାସ୍ତାରୁ ମାଟି ପଥର କଢାଯିବା ପରେ ନିରୀକ୍ଷଣ କରାଯିବ ଏବଂ ତା’ ପରେ ରାସ୍ତା ଖୋଲାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ।

You might also like