ଇଣ୍ଡୋନେସିଆର ଜାଭା ଦ୍ୱୀପରେ ବନ୍ୟା ଓ ଭୂସ୍ଖଳନ, ୧୬ ମୃତ, ୯ ନିଖୋଜ

ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଫ୍ଲାସ୍ ବନ୍ୟା । ଏଠାରେ ବନ୍ୟା ଓ ଭୂସ୍ଖଳନ ହେତୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ବେଳେ ସମସ୍ତ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ଜାଭା ମୁଖ୍ୟ ଦ୍ୱୀପର ପାର୍ବତ୍ୟ ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ହଠାତ୍ ବନ୍ୟା ମାଡ଼ିଆସିଥିଲା, ଯାହାଫଳରେ ଏହି ଲୋକମାନେ ବନ୍ୟା ପାଣିରେ ଭାସି ଯାଇଥିଲେ । ମୃତଦେହଗୁଡ଼ିକ ମାଟି ଆବର୍ଜନା ଓ ପଥର ତଳେ ପୋତି ହୋଇ ପଡ଼ିଥିଲା ।

ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖ୍ୟ ବର୍ଗସ୍ କେଟୁରସାରୀ କହିଛନ୍ତି, ସୋମବାର ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମଧ୍ୟ ଜାଭା ପ୍ରଦେଶର ପେକଲୋଙ୍ଗାନ ରେଜେନ୍ସିର ୯ଟି ଗାଁ ବନ୍ୟା ସଂସ୍ପର୍ଶରେ ଆସିଥିଲା । ଏହି ସମୟ ମଧ୍ୟରେ ପାର୍ବତ୍ୟ ଅଞ୍ଚଳରେ ପାହାଡ଼ରୁ ମାଟି ଓ ପଥର ଖସି ପଡ଼ିବା ସହ ଅନେକ ଗଛ ମଧ୍ୟ ଉପୁଡ଼ି ଯାଇଥିଲା ।

ଉଦ୍ଧାର କର୍ମଚାରୀମାନେ ମଙ୍ଗଳବାର ସୁଦ୍ଧା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପେଟୁଙ୍ଗକ୍ରିଓନୋ ଗ୍ରାମରୁ ୧୬ ମୃତଦେହ ଉଦ୍ଧାର କରିଛନ୍ତି । ନିଖୋଜ ଗ୍ରାମବାସୀଙ୍କୁ ଖୋଜା ଚାଲିଛି ।

କେଟୁରସାରୀ କହିଛନ୍ତି, ଆହତ ୧୦ ଜଣ କୌଣସି ପ୍ରକାରେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରୁ ବର୍ତ୍ତିଯାଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କହି ରଖୁଛୁ, ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ହେଉଥିବା ମୌସୁମୀ ବର୍ଷା ପ୍ରାୟତଃ ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନର କାରଣ ହୋଇଥାଏ ।

ଆହୁରି ପଢ଼ନ୍ତୁ: ଇଣ୍ଡୋନେସିଆରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୯ ମୃତ, ଅନେକ ନିଖୋଜ

You might also like