ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ମୁତାବକ, ଦେଶରେ ପ୍ରବଳ ବର୍ଷା ଏବଂ ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି । ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ପାଣିପାଗର ସ୍ଥିତିକୁ ନଜରରେ ରଖି ବିଦ୍ୟାଳୟ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ।
ରବିବାରଠାରୁ ଦେଶରେ ପ୍ରବଳ ବର୍ଷା ଲାଗି ରହିଛି, ଯାହାଫଳରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଘର, ଚାଷଜମି ଏବଂ ରାସ୍ତାଘାଟରେ ବନ୍ୟା ପାଣିର ସୁଅ ଚାଲିଛି । ସତର୍କତାମୂଳକ ପଦକ୍ଷେପ ଭାବରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁସାରେ, ରାଜଧାନୀ କଲମ୍ବୋ ଏବଂ ସୁଦୂର ରତନପୁର ଜିଲ୍ଲାରେ ରବିବାର ୬ ଜଣ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଏହିପରି ପାହାଡ଼ରୁ ଘର ଉପରେ ମାଟି ଖସି ଅନ୍ୟ ତିନି ଜଣ ପ୍ରାଣ ହରାଇଛନ୍ତି । ଗଛ ପଡ଼ି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଏହି ପ୍ରଳୟଙ୍କରୀ ବନ୍ୟାରେ ରବିବାରଠାରୁ ୬ ଜଣ ନିଖୋଜ ଅଛନ୍ତି ।
କେନ୍ଦ୍ର ଏକ ବୟାନରେ କହିଛି ଯେ ସୋମବାର ସୁଦ୍ଧା ୫୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କେନ୍ଦ୍ର ନିଆଯାଇଛି । ଏହି ବନ୍ୟା ଓ ଭୂସ୍ଖଳନରେ ୪୦୦ ଘର କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବା ତଥା ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବିତରଣ ପାଇଁ ନୌସେନା ଓ ସ୍ଥଳସେନାର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ମେ’ ମଧ୍ୟଭାଗରେ ପ୍ରବଳ ମୌସୁମୀ ବର୍ଷା ପରେ ଶ୍ରୀଲଙ୍କାରେ ପାଗ ପ୍ରତିକୂଳ ରହିଛି । ଏହାପୂର୍ବରୁ ଅନେକ ଅଞ୍ଚଳରେ ପ୍ରବଳ ପବନ ହେତୁ ଗଛଗୁଡ଼ିକ ଉପୁଡ଼ି ପଡ଼ିଥିଲା, ଯାହା ସଂସ୍ପର୍ଶରେ ଆସି ୯ ଜଣଙ୍କ ମୃତ୍ୟୁ ଘଟିଥିଲା ।