ଲାଓସରେ ଭାଙ୍ଗିଲା ନିର୍ମାଣାଧୀନ ଡ୍ୟାମ : ହଜାର ହଜାର ଲୋକ ବାସହରା, ଅନେକ ନିଖୋଜ

ହଙ୍ଗକଙ୍ଗ :  ଲାଓସ୍‌ରେ ଡ୍ୟାମ୍‌ ଟ୍ରାଜେଡି । ଦକ୍ଷିଣ ଲାଓସ୍‌ରେ ଏକ ନିର୍ମାଣାଧୀନ ଡ୍ୟାମ୍‌ ଭାଙ୍ଗିଯିବାରୁ ଶହଶହ ଲୋକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ତେବେ କେତେ ଲୋକଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ । ହଜାର ହଜାର ଲୋକ ବାସହୀନ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ସୋମବାର-ରାତି ପ୍ରାୟ ୮ଟା ।  ବର୍ଷା ନଥିଲା କି ବନ୍ୟା ନେଇ ସତର୍କ ସୂଚନା ନଥିଲା । ହାଠତ୍‌ କିନ୍ତୁ ସମୁଦ୍ର ଭଳି ମାଡ଼଼ିଆସିଲା ପାଣି । ଅକାତକାତ ପାଣିରେ ଘରଦ୍ୱାର ସହ ଭାସିଯାଇଥିଲେ ଲୋକ । ଚାରିଆଡ଼ ଜଳାର୍ଣ୍ଣବ । ଦକ୍ଷିଣ ପୂର୍ବ ଲାଓସ୍‌ରେ ନିର୍ମାଣାଧୀନ ଏକ ଜଳ ବିଦ୍ୟୁତ ପ୍ରକଳ୍ପର ଡ୍ୟାମ୍‌ ଭୁଶୁଡି ପଡ଼ିବାରୁ ଅଚାନକ ମାଡ଼ି ଆସିଥିଲା ପ୍ରଳୟ । ଡ୍ୟାମ୍‌ ଭୁଶୁଡି ପଡ଼ିବାରୁ ପ୍ରଖର ସ୍ରୋତରେ ମାଡ଼ି ଆସିଥିଲା ପାଣି । ୫ ବିଲିୟନ ଘନଫୁଟ ପାଣି ଆଖପାଖ ଅଞ୍ଚଳକୁ ବୁଡେଇ ଦେଇଥିଲା । ପାଣି ସୁଅରେ ଶହଶହ ଲୋକ ନିଖୋଜ ହୋଇଯାଇଛନ୍ତି । ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ପ୍ରକୃତରେ କେତେ ଲୋକ ନିଖୋଜ ଅଛନ୍ତି, ଆଉ କେତେଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ । ହଜାର ହଜାର ଘର ଭାସି ଯାଇଥିବାରୁ ବହୁ ଲୋକ ବାସହୀନ ହୋଇଛନ୍ତି । ଦକ୍ଷିଣ ଲାଓସ୍‌ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଏ କୁଆଡ଼େ ଭାସି ଯାଇଛି, ତାର ଖୋଜ ଖବର ମିଳୁନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭୁଶୁଡି ପଡ଼ିଥିବା ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ୨୦୧୩ ମସିହାରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ । ତେବେ ଚଳିତବର୍ଷଠାରୁ ପ୍ରକଳ୍ପରୁ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହୋଇଯାଇଥିଲା । ଲାଓସ୍‌ ପାଇଁ ଏହା ଏକ ବଡ଼ ବିପର୍ଯ୍ୟୟ । ଏହି ପ୍ରକଳ୍ପକୁ ନେଇ ଲାଓସ ଅନେକ ସ୍ୱପ୍ନ ଦେଇଥିଲା । ଏଠାରୁ ଉତ୍ପାଦିତ ବିଜୁଳି ପଡ଼ୋଶୀ ରାଷ୍ଟ୍ରକୁ ବିକ୍ରି କରିବା ଲକ୍ଷ୍ୟ ରଖିଥିଲା ଲାଓସ୍‌ । କିନ୍ତୁ ଡ୍ୟାମ୍‌ ଭାଙ୍ଗିଯିବା ଫଳରେ ମାଡ଼ିି ଆସିଛି ବଡ଼ ବିପର୍ଯ୍ୟୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.