ଜାପାନବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ! ଦିନକୁ ଗୋଟିଏ ଗ୍ଲାସ କ୍ଷୀର ଅତିରିକ୍ତ ପିଅ, ପ୍ରେସ୍‌ କନଫରେନ୍ସ କରି ମଧ୍ୟ ନେତା ପିଉଛନ୍ତି କ୍ଷୀର; ଜାଣନ୍ତୁ କାହିଁକି

ନିଜ ଟେକ୍ନୋଲୋଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜାପାନ ଏବେ ଏକ ଅଲଗା ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଜାପାନର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ଦେଶବାସୀଙ୍କୁ କ୍ଷୀର ପିଇବାକୁ ଅପିଲ କରୁଛନ୍ତି। ଲୋକଙ୍କୁ କୁହାଯାଉଛି ଯେ ସେମାନେ ଏକ ଗ୍ଲାସ୍ ଅତିରିକ୍ତ କ୍ଷୀର ପିଇବା ଉଚିତ୍ ଏବଂ ଖାଦ୍ୟରେ ଅଧିକରୁ ଅଧିକ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିବା ଉଚିତ୍।

ସାମ୍ବାଦିକ ସମ୍ମିଳନୀରେ କ୍ଷୀର ପିଉଛନ୍ତି ମନ୍ତ୍ରୀ

ଖବର ମୁତାବକ, ଜାପାନରେ ସାମ୍ବାଦିକ ସମ୍ମିଳନୀ ସମୟରେ ମନ୍ତ୍ରୀମାନଙ୍କୁ କ୍ଷୀର ପିଉଥିବାର ଦେଖାଯାଇ ପାରିବ। ନିକଟରେ ଏକ କମ୍ପାନୀ ବଡ ଇଭେଣ୍ଟ ଆୟୋଜନ କରିଥିଲା, ଯେଉଁଥିରେ ସେଲିବ୍ରିଟି ଲୋକମାନଙ୍କୁ କ୍ଷୀର ପିଇବା ପାଇଁ ପ୍ରୋତ୍ସାହିତ କରୁଥିବାର ଦେଖା ଯାଇଥିଲା। ଏବେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଜାପାନବାସୀଙ୍କୁ ଅତିରିକ୍ତ କ୍ଷୀର ପିଇବାକୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହି କଥା କହିଛନ୍ତି

ପ୍ରଧାନମନ୍ତ୍ରୀ ମଙ୍ଗଳବାର ସଂସଦ ଅଧିବେଶନ ଶେଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଚାହୁଁଛୁ, ଲୋକେ ସାଧାରଣଠାରୁ ଏକ ଅତିରିକ୍ତ କପ୍‌ କ୍ଷୀର ପିଇବାରେ ଆମକୁ ସହଯୋଗ କରନ୍ତୁ ଏବଂ ଖାଦ୍ୟ ରାନ୍ଧିବା ସମୟରେ ଅଧିକରୁ ଅଧିକ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରନ୍ତୁ। ଏଥି ପୂର୍ବରୁ ୧୭ ଡିସେମ୍ବରରେ ଜାପାନର କୃଷି ମନ୍ତ୍ରୀ ଜେନଜିରୋ କାନେକୋ ଏବଂ ଟୋକିଓର ରାଜ୍ୟପାଳ ୟୁରିକୋ କୋଇକେ ସେମାନଙ୍କ ସାମ୍ବାଦିକ ସମ୍ମିଳନୀରେ କ୍ଷୀର ପିଇ ଲୋକଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲେ।

ଅପିଲର କାରଣ

ଜାପାନରେ ବହୁ ପରିମାଣରେ କ୍ଷୀରର ଅପଚୟକୁ ରୋକିବା ପାଇଁ ଏ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ରିପୋର୍ଟରେ ସରକାରୀ ତଥ୍ୟକୁ ଦର୍ଶାଇ କୁହାଯାଇଛି ଯେ ଏହି ଶୀତରେ ହିଁ ପାଖାପାଖି ୫୦୦୦ ଟନ କ୍ଷୀର ନଷ୍ଟ ହେବାର ଆଶଙ୍କା ରହିଛି। ସେପଟେ ଏହି ଅପଚୟକୁ ରୋକିବା ପାଇଁ ଜାପାନର କୃଷକମାନେ ମଧ୍ୟ ଏକଜୁଟ ହୋଇଛନ୍ତି। ସେମାନେ ୨୫ ଡିସେମ୍ବରରୁ ୩ ଜାନୁୟାରୀ ପର୍ଯ୍ୟନ୍ତ ଦିନକୁ ୧ ଲିଟର କ୍ଷୀର କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୃଷକମାନେ # 1Lperday ହ୍ୟାସଟ୍ୟାଗ୍ ବ୍ୟବହାର କରି ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି।

ଏହି କାରଣରୁ ନଷ୍ଟ ହେଉଛି କ୍ଷୀର

ଏହି ଅଭିଯାନରେ ବଡ଼ ବଡ଼ କମ୍ପାନୀ ମଧ୍ୟ ସାମିଲ ହୋଇଛନ୍ତି। ଲସନ୍ ଇଙ୍କ ନିଜର ଷ୍ଟୋରରେ ଏକ କପ୍ ଗରମ କ୍ଷୀର ଉପରେ ୫୦ ପ୍ରତିଶତ ରିହାତି ଅଫର୍ ଦେଉଛି। ବାସ୍ତବରେ, ଜାପାନରେ ଚଳିତ ବର୍ଷ କ୍ଷୀରର ଚାହିଦା ଯଥେଷ୍ଟ ହ୍ରାସ ପାଇଛି, ଯେଉଁ କାରଣରୁ ଏହାର ଅପଚୟ ବୃଦ୍ଧି ପାଇଛି। ଜାପାନରେ ପିଲାମାନଙ୍କୁ ବିଦ୍ୟାଳୟରେ କ୍ଷୀର ଦିଆଯାଇଥାଏ, କିନ୍ତୁ କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ଏବେ ବନ୍ଦ ରହିଛି ଏବଂ ଫଳସ୍ୱରୂପ କ୍ଷୀରର ବ୍ୟବହାର କମି ଯାଇଛି। ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କ୍ଷୀରର ଚାହିଦା ଯଥେଷ୍ଟ ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.