‘ଆମ ସେନାଙ୍କ ପାଇଁ ଆମେ ଖୁବ ଗର୍ବିତ’; ମୃତ୍ୟୁର ଦିନକ ପୂର୍ବରୁ ଶେଷ ଭିଡିଓ କରି ଏମିତି କହିଥିଲେ CDS ବିପିନ ରାୱତ

ଆଉ ନାହାନ୍ତି ଭାରତର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ। ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଗତ ୮ ତାରିଖରେ ବିପିନ ରାୱତ ଓ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ଘଟିଛି। ମୃତ୍ୟୁର ଦିନକ ପୂର୍ବରୁ ଜେନେରାଲ ବିପିନ୍ ରାୱତ ରେକର୍ଡ କରିଥିବା ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ସେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ତାଙ୍କର ଶେଷ ଭିଡିଓ ମେସେଜ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ‘ସ୍ବର୍ଣ୍ଣିମ ବିଜୟ ପର୍ବ’ ଉତ୍ସବରେ ପ୍ରଦର୍ଶିତ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ସେ ଏହି ଭିଡିଓକୁ ଡିସେମ୍ବର ୭ ରେ ରେକର୍ଡ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଡିସେମ୍ବର ୮ ରେ ରାୱତଙ୍କ ନିଧନ ହୋଇଛି।

ଏହି ଭିଡିଓରେ ଜେନେରାଲ ରାୱତ କହୁଛନ୍ତି, ସ୍ବର୍ଣ୍ଣିମ ବିଜୟ ପର୍ବ ଅବସରରେ ମୁଁ ଭାରତର ସମସ୍ତ ବୀର ଯବାନଙ୍କୁ ଅଭିନନ୍ଦନ ଜଣାଉଛି। ଭାରତୀୟ ସେନାର ୧୯୭୧ ର ଲଢ଼େଇ ରେ ବିଜୟର ୫୦ ତମ ପୂର୍ତ୍ତିକୁ ଆମେ ବିଜୟ ପର୍ବ ଭାବେ ପାଳନ କରୁଛୁ। ଆଜିର ଦିନରେ ସେହି ବୀର ଯବାନଙ୍କୁ ମନେ ପକାଇ ତାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଏ ଅବସରରେ ସେ କହିଥିଲେ ଯେ ଆମ ସେନାଙ୍କ ଉପରେ ଆମକୁ ଅଛି ଗର୍ବ, ଆସନ୍ତୁ ମିଶିକି ପାଳିବା ବିଜୟ ପର୍ବ। ଜୟ ହିନ୍ଦ।

୮ ଡିସେମ୍ବରରେ ଘଟିଥିଲା ଦୁର୍ଘଟଣା:

ଦେଶର ପ୍ରଥମ CDS ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ହୋଇଛି। ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହ ହିଁ କେବଳ ବଞ୍ଚିଛନ୍ତି। ଏବେ ସେ ୱେଲିଂଟନର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

Leave A Reply

Your email address will not be published.