ହେଲମେଟ ନ ପିନ୍ଧିବାରୁ ୧୦ ଲକ୍ଷର ଚାଲାଣ କାଟିଲା ପୋଲିସ, ୧୧ମାସ ହେଲା ଟ୍ରାଫିକ ଥାନାକୁ ଦୌଡୁଛନ୍ତି ଯୁବକ

ହେଲମେଟ ନପିନ୍ଧିଥିବାରୁ ଜଣେ ଡ୍ରାଇଭରଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚାଲାଣ କାଟିଛି ପୋଲିସ । ଗୁଜୁରାଟ ଅହମ୍ମଦାବାଦରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ହେଲମେଟ ନ ପିନ୍ଧିଥିବାରୁ ଅନିଲ ନାମକ ଜଣେ ଯୁବକଙ୍କ ଠାରୁ ୧୦ ଲକ୍ଷ ୫୦୦ ଟଙ୍କାର ଜରିମାନା କଟାଯାଇଛି । ଶାନ୍ତିପୁର ଟ୍ରାଫିକ ଛକରେ ଯାଉଥିବା ବେଳେ ହେଲମେଟ ନ ପିନ୍ଧିଥିବାରୁ ଅନିଲଙ୍କୁ ଅଟକାଇଥିଲା ଟ୍ରାଫିକ ପୋଲିସ । ପରେ ଅନିଲଙ୍କର ଡ୍ରାଇଭିଂ ଲାଇସେନ୍ସ ସମେତ ଅନ୍ୟାନ୍ୟ ଡକ୍ୟୁମେଣ୍ଟକୁ ଟ୍ରାଫିକ ପୋଲିସ ଯାଞ୍ଚ କରିଥିଲା । ସମସ୍ତ ଡକ୍ୟୁମେଣ୍ଟକୁ ଚେକ୍ କରି ଅନିଲଙ୍କୁ ଛାଡି ଦିଆଯାଇଥିଲା । କିଛି ସମୟ ପରେ ୫୦୦ଟଙ୍କା ଜୋରିମାନା ପାଇଁ ଅନିଲଙ୍କ ପାଖକୁ ମେସେଜ ଯାଇଥିଲା । ଅନିଲ ମେସେଜ ଦେଖିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ । ତାଙ୍କର ୫୦୦ ଟଙ୍କା ନୁହେଁ ବରଂ ୧୦ ଲକ୍ଷ ୫୦୦ ଟଙ୍କାର ଜରିମାନା କଟାଯାଇଛି ବୋଲି ସେ ପରେ ଜାଣିବାକୁ ପାଇଥିଲେ । ଏ ଘଟଣାକୁ ୧୧ମାସ ବିତିଗଲାଣି କିନ୍ତୁ କୌଣସି ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।

ଅନିଲଙ୍କ କହିବାନୁଯାୟୀ, ଅନିଲ ଘରର ଖର୍ଚ୍ଚ ଉଠାଇବା ପାଇଁ ସେ ତାଙ୍କ ନିଜ ଘରଠାରୁ କିଛି ଦୂରରେ ଗୋଟିଏ ପାନ ଦୋକାନ କରିଛନ୍ତି । ୧୧ ଏପ୍ରିଲ ୨୦୨୪ ସନ୍ଧ୍ୟା ସମୟରେ ତାଙ୍କ ଆକ୍ଟିଭାରେ ଜିନିଷ ଲୋଡ କରି ଗନ୍ତବ୍ୟ ସ୍ତଳକୁ ଯାଉଥିଲେ । ଶାନ୍ତିପୁର ଟ୍ରାଫିକ ଛକରେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲା । ଗାଡିର କାଗଜପତ୍ର ଯାଞ୍ଚ କରି ଅନିଲଙ୍କୁ ଛାଡିଦେଇଥିଲା ଟ୍ରାଫିକ ପୋଲିସ । କିନ୍ତୁ ସେ ଘରେ ପହଞ୍ଚିବା ପରେ ତାଙ୍କ ମୋବାଇଲକୁ ଜରିମାନା କଟାଯାଇଥିବାର ଏକ ମେସେଜ ଆସିଥିଲା । ଆକ୍ଟିଭା ଚାଳକ ଅନିଲ ଏବଂ ତାଙ୍କ ବାପା ଉଭୟେ ମିଶି ପୋଲିସ କମିଶନ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କର କାହିଁକି ଚାଲାଣ କଟାଯାଇଛି ବୋଲି ପୋଲିସଙ୍କୁ ପ୍ରଶ୍ନ କରିଥିଲେ ଅନିଲ । ଯଦି କୌଣସି ଚାଲାଣ କାଟୁଛି ତେବେ ତାଙ୍କୁ ଜଣାଇବା ଉଚିତ୍ ଥିଲା ବୋଲି କହିଛନ୍ତି ଅନିଲ। ପୋଲିସ କର୍ମୀମାନେ ତାଙ୍କ ଠାରୁ ପ୍ରଥମେ ଚାଲାଣ ନେବାକୁ ମନା କରିଥିଲେ ଏବଂ ଅନଲାଇନ୍ ମାଧ୍ୟମରେ ଚାଲାଣ କାଟିବାକୁ କହିଥିଲେ । କିନ୍ତୁ ସେ ପରେ ଜାଣିବାକୁ ପାଇଲେ ଯେ ତାଙ୍କୁ ୧୦ଲକ୍ଷ ୫୦୦ ଟଙ୍କାର ଜୋରିମାନା ଲାଗିଛି ।

ଅପରପକ୍ଷରେ ଦଣ୍ଡ ପାଇଁ ୫୦୦ଟଙ୍କା ଚାଲାଣ ଉଚିତ୍ ଥିଲା ଯାହାକୁ ଦେବା ପାଇଁ ତାଙ୍କ ପକ୍ଷେ ସମ୍ଭବ ଥିଲା ବୋଲି କହିଛନ୍ତି ଅନିଲ । କିନ୍ତୁ ଭୁଲବଶତଃ ଅଧିକ ଟଙ୍କାର ରାଶି କଟାଯାଇଥିଲା । ଯାହାର ସଂଶୋଧନ ପାଇଁ ଅନେକ ଥର ମିର୍ଜାପୁର କୋର୍ଟରେ ପହଞ୍ଚିଥିଲେ ଅନିଲ । ତାଙ୍କ ଚାଲାଣକୁ ବାତିଲ କରିବା ପାଇଁ ଇ-ଚାଲଣ ବିଭାଗକୁ ଅନୁରୋଧ ମଧ୍ୟ କରିଥିଲେ । ଇମେଲ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।

ଅନିଲ ଯିଏକି ଅହମ୍ମଦାବାଦ ବସ୍ତ୍ରାଳୟରେ ରହୁଥିବା ଜଣେ ଛୋଟ ବ୍ୟବସାୟୀଙ୍କ ପୁଅ ବୋଲି ଜାଣିବାକୁ ମିଳିଛି । ଅନିଲ ମଧ୍ୟ ନରୋଡାସ୍ଥିତ ଲ କଲେଜରେ ୪ର୍ଥ ସେମିଷ୍ଟାରର ଛାତ୍ର । ଏତେ ବଡ ଅର୍ଥ ରାଶି ଦେବା ପାଇଁ ସେ ସକ୍ଷମ ନୁହେଁ ବୋଲି କହିଛନ୍ତି ଅନିଲ । ଏତେ ମୋଟା ଅର୍ଥରାଶିର ଚାଲାଣ ତାଙ୍କୁ ଏବଂ ତାଙ୍କର ପୁରା ପରିବାରକୁ ଶକ୍ତ ଆଘାତ ଦେଇଛି । ଅର୍ଥରାଶିକୁ ନବଢାଇ ପୋଲିସ କର୍ମୀ ଭୁଲକୁ ସଂଶୋଧନ କରିବେ ବୋଲି ଆଶାବାଦୀ ରହିଛନ୍ତି ଅନିଲ।

Also Read : ‘ମୋତେ ମରାଠୀ ଆସୁନାହିଁ, ମୁଁ ହିନ୍ଦୀରେ କହିବି’ କହିବାରୁ ଦୋକାନୀ କର୍ମଚାରୀଙ୍କୁ ମାଡ଼ ମାରିଲେ MNS କର୍ମୀ, ଭିଡିଓ…