ବାବା ସିଦ୍ଦିକୀଙ୍କ ହତ୍ୟାକୁ ନେଇ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହରେ ଖୋଳତାଡ଼ ଜୋରଦାର କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଲରେନ୍ସ ବିଷ୍ଣୋଇ ଏବେ ସାବରମତୀ ଜେଲରେ ବନ୍ଦ ରହିଛି । ତେଣୁ ଖୁବଶୀଘ୍ର ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପଚରାଉଚରା କରିବ ବୋଲି ଜଣାପଡିଛି । ଏଥିପାଇଁ କୋର୍ଟରୁ ଅନୁମତି ଆଣିବ କ୍ରାଇମବ୍ରାଞ୍ଚ । ତବେେ ସଲମାନଙ୍କ ସହ ବନ୍ଧୁତାରୁ ହତ୍ୟା ନା ଏହା ଏକ ବିଲ୍ଡର ୱାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ହତ୍ୟା କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ପଚରାଉଚରା କରୁଛି ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଟିମ୍ । ସମୋନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସକୁ କହିଛନ୍ତି ।
ଦୁଇ ଅଭିଯୁକ୍ତ ହେଲେ ହରିଆଣାର ଗୁରମିଲ ବଲଜିତ ସିଂ ଓ ଅନ୍ୟ ଜଣେ ଉତ୍ତର ପ୍ରଦେଶର ଧରମରାଜ ରାଜେଶ କାଶ୍ୟପ । ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ଚାଲିଛି ତନାଘନା । ତଦନ୍ତରେ ସହଯୋଗ କରିବାକୁ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଇନଭେସ୍ଟିଗେସନ ଟିମ୍ ମୁମ୍ବାଇ ଆସିବ । ହତ୍ୟା ପୂର୍ବରୁ ପ୍ରାୟ ଦେଢ଼ ମାସ ଧରି ଅଭିଯୁକ୍ତମାନେ ମୁମ୍ବାଇରେ ରହି ବାବା ସିଦ୍ଦିକୀଙ୍କ ଉପରେ ନଜର ରଖିଥିଲେ । ପ୍ରାୟ ୨୫ରୁ ୩୦ ଦିନ ହେଲା ସେମାନେ ବାବା ସିଦ୍ଦିକୀଙ୍କ ଘର ଓ ଅଫିସ ପରିସରରେ ରେକି କରୁଥିଲେ । ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ Y ସୁରକ୍ଷା ବଳୟ ଭେଦ କରି ବାବା ସିଦ୍ଦିକୀଙ୍କ ଉପରକୁ ଗୁଳି କରିଥିଲେ । ତାଙ୍କ ଛାତି ଓ ପେଟରେ ଗୁଳି ଲାଗିଥିଲା ।
ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଛି ଯେ, ଯିଏ ସଲମାନ ଖାନ୍ ଓ ଦାଉଦ ଗ୍ୟାଙ୍ଗର ସହାୟତା କରିବ, ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ । ବିଷ୍ଣୋଇ ଗ୍ୟାଙ୍ଗ ଚେତାବନୀ ଦେଇଛି ଯେ, ‘ଯଦି କେହି ତାଙ୍କ ‘ଭାଇ’ଙ୍କୁ କ୍ଷତି ପହଞ୍ଚାଇବ ତେବେ ତା’ର ସେମାନେ ନିଶ୍ଚିତ ରୂପେ ପ୍ରତିକ୍ରିୟା ଦେବେ । ଆମେ କେବେ ପ୍ରଥମେ ଆକ୍ରମଣ କରୁନୁ ।
ସେପଟେ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ସଲମାନଙ୍କୁ ଏକାଧିକ ଥର ଧମକ ମିଳିଛି ।