ଲେଫ୍ଟନାଣ୍ଟ ଗଭର୍ଣ୍ଣର ହିଁ ଦିଲ୍ଲୀର ଅସଲି ବସ୍‌ ! କେଜ୍ରିଓ୍ଵାଲ ସରକାରଙ୍କୁ ଝଟ୍‌କା ଦେଲେ ସୁପ୍ରିମ୍‌କୋର୍ଟ

ସୁପ୍ରିମ୍‌କୋର୍ଟ ଦିଲ୍ଲୀ ଏଲ୍‌ଜି (ଲେଫ୍ଟନାଣ୍ଟ ଗଭର୍ଣ୍ଣର) ବିନୟ ସାକ୍ସେନାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଆମ୍ ଆଦମୀ ପାର୍ଟି ସରକାରଙ୍କ ଏକ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦିଲ୍ଲୀ କ୍ୟାବିନେଟର ପରାମର୍ଶ ବିନା ‘ଆଲର୍ଡମ୍ୟାନ୍‌ ବା ମନୋନୀତ କାଉନସିଲର’ଙ୍କୁ ନିଯୁକ୍ତ କରିପାରିବେ ।

ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା ଦେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ୧୯୯୩ ଅଧିନିୟମରେ ପୂର୍ବରୁ ଯେଉଁ ପରିବର୍ତ୍ତନ କରାଯାଇଥିଲା, ସେହି ସମୟରେ ନାମାଙ୍କନର ଶକ୍ତି ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଦିଲ୍ଲୀ ଏଲ୍‌ଜି ସ୍ୱାଧୀନ ଭାବରେ ଦିଲ୍ଲୀ ନଗର ନିଗମ (ଏମ୍‌ସିଡି)ରେ ୧୦ ଜଣ ଆଲର୍ଡମ୍ୟାନ୍‌ଙ୍କୁ ମନୋନୀତ କରିପାରିବେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏଲ୍‌ଜିଙ୍କୁ ସରକାରଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାର ଆବଶ୍ୟକ ନାହିଁ । ଏଲ୍‌ଜି ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେଜ୍ରିଓ୍ଵାଲ ସରକାର କହିଛନ୍ତି ଯେ ସେମାନଙ୍କ ପରାମର୍ଶ ବିନା ଏଲ୍‌ଜି ମନଇଚ୍ଛା ଏମାନଙ୍କୁ ନିଯୁକ୍ତ କରିଛନ୍ତି । ଏହି ନିଯୁକ୍ତିକୁ ବାତିଲ କରାଯିବା ଉଚିତ୍ ।

କହି ରଖୁଛୁ, ମ୍ୟୁନିସିପାଲିଟି କାର୍ଯ୍ୟର ଅଭିଜ୍ଞତା ଏବଂ ଜ୍ଞାନ ଥିବା କୌଣସି ବି ବ୍ୟକ୍ତିଙ୍କୁ ଆଲର୍ଡମ୍ୟାନ୍ ଭାବରେ ମନୋନୀତ କରାଯାଇପାରିବ । ଦିଲ୍ଲୀ ନଗର ନିଗମ ଅଧିନିୟମ, ୧୯୭୫ ଅନୁଯାୟୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ୧୦ ଜଣଙ୍କୁ ଏମ୍‌ସିଡିରେ ଆଲର୍ଡମ୍ୟାନ୍ ଭାବରେ ନିଯୁକ୍ତ କରିପାରିବେ । ଏମ୍‌ସିଡିରେ ୨୫୦ ଜଣ ନିର୍ବାଚିତ ଏବଂ ୧୦ ଜଣ ମନୋନୀତ ସଦସ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like