ଦିଲ୍ଲୀ: ୨୩୪୬ ହୋମଗାର୍ଡଙ୍କୁ ତୁରନ୍ତ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଲେ ଏଲଜି

ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ୨୩୪୬ ହୋମଗାର୍ଡଙ୍କୁ ତୁରନ୍ତ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏମାନେ ସମସ୍ତେ ପୂର୍ବରୁ ହିଁ ନିଜର ଶାରୀରିକ ମାପ ଓ ଦକ୍ଷତା ପରୀକ୍ଷା (ପିଏମଇଟି) ଏବଂ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଯଦିଓ ବର୍ତ୍ତମାନ ଅବଶିଷ୍ଟ ୭୯୩୯ଟି ହୋମଗାର୍ଡ ପଦବୀ ଖାଲି ପଡ଼ିଛି । କୋର୍ଟରେ ଦୁଇଟି ମାମଲା ବିଚାରାଧୀନ ରହିଛି । କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଅବଶିଷ୍ଟ ପଦବୀ ପୂରଣ ପାଇଁ ଏଲଜି ଅନୁମୋଦନ କରିବେ ।

ତେବେ ଯେଉଁ ୨୩୪୬ ଜଣ ପ୍ରାର୍ଥୀ ହୋମଗାର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନଙ୍କୁ ଏବେ ଆଉ ଅନାବଶ୍ୟକ ଭାବେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଯୋଗ୍ୟ ପ୍ରାର୍ଥୀମାନଙ୍କ ଡାକ୍ତରୀ ଚିକିତ୍ସା ପାଇଁ ୧ ସପ୍ତାହ ମଧ୍ୟରେ ଏକ ଶିବିର ଆୟୋଜନ କରିବାକୁ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବହୁତ ଜଲଦି ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

କହି ରଖୁଛୁ, ଉପରାଜ୍ୟପାଳ ଏହା ପୂର୍ବରୁ ୨୦୨୪ ଜାନୁୟାରୀରେ ମହିଳାମାନଙ୍କ ପାଇଁ ୩୩.୩୩% ସଂରକ୍ଷଣ ବ୍ୟବସ୍ଥା ସହିତ ୧୦,୨୮୫ ହୋମଗାର୍ଡଙ୍କ ନାମାଙ୍କନକୁ ମଞ୍ଜୁରୀ ଦେଇଥିଲେ । ଏହାପରେ ଜାନୁୟାରୀ ୨୩ରେ ଏହି ୧୦,୨୮୫ଟି ପଦବୀ ପୂରଣ ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ୧,୦୯,୦୦୧ ଜଣ ଆବେଦନ ଦାଖଲ କରିଥିବା ବେଳେ କେବଳ ୩୨,୫୧୧ ଜଣଙ୍କୁ ପିଏମଇଟି ପାଇଁ ରିପୋର୍ଟ କରାଯାଇଥିଲା ।

You might also like