ୟୁପି: ସ୍କୁଲରେ ପଡ଼ିଲା ଘଡ଼ଘଡ଼ି, ଛାତ୍ରୀ ଓ ଶିକ୍ଷୟିତ୍ରୀ ବେହୋଶ୍; ପୋଡ଼ିଗଲା ସମସ୍ତ ବୈଦ୍ୟୁତିକ ଉପକରଣ

ସ୍କୁଲରେ ପଡ଼ିଲା ଘଡ଼ଘଡ଼ି । ଏହା ସଂସ୍ପର୍ଶରେ ଆସି ଜଣେ ଛାତ୍ରୀ ଓ ଶିକ୍ଷୟିତ୍ରୀ ବେହୋଶ୍ ହୋଇଯାଇଥିଲେ । ଆକାଶରୁ ଘଡ଼ଘଡ଼ି ପଡ଼ିବା ପରେ ସ୍କୁଲରେ ବିଦ୍ୟୁତ୍ ଚାଳିତ ସମସ୍ତ ଉପକରଣ ମଧ୍ୟ ପୋଡ଼ି ଯାଇଥିବା ସୂଚନା ରହିଛି । ଉତ୍ତର ପ୍ରଦେଶର କୋଶାମ୍ବି ଜିଲ୍ଲାର କମ୍ପୋଜିଟ୍ ବିଦ୍ୟାଳୟରେ ଏହି ଘଟଣା ଘଟିଛି ।
ଖବର ପାଇ ଏସ୍ଡିଏମ୍ ସିରାଥୁ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ ଏବଂ ବେହୋଶ୍ ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହିପରି କୋଶାମ୍ବି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଘଡ଼ଘଡ଼ି ପଡ଼ି ୨ ମହିଳାଙ୍କ ମୃତ୍ୟୁ ଘଟିଛି । ଯେତେବେଳେ କି, ୨୦ରୁ ଅଧିକ ଲୋକ ଏହା ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ବିଦ୍ୟାଳୟରେ ପିଲାମାନେ ଇଣ୍ଟରଭାଲ୍ ହେତୁ ଶ୍ରେଣୀଗୃହ ବାହାରେ ଥିଲେ । ହଠାତ୍ ଏହି ସମୟରେ ଘଡ଼ଘଡ଼ି ପଡ଼ିବା ପରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଉଭୟ ଛାତ୍ରୀ ଏବଂ ଶିକ୍ଷୟିତ୍ରୀ ବେହୋଶ୍ ହୋଇ ତଳେ ପଡ଼ିଯାଇଥିଲେ । ଦୁହିଁଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।
ଏହିପରି ସରସଓ୍ଵା ବ୍ଲକର ଅନ୍ଧାଓ୍ଵା ଗାଁର ଏକ ବିଦ୍ୟାଳୟରେ ମଧ୍ୟ ଘଡ଼ଘଡ଼ି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ଏହା ସଂସ୍ପର୍ଶରେ ଆସି ଶିଖା ଦେବୀ ନାମ୍ନୀ ମହିଳା ପୋଡ଼ି ହୋଇଯାଇଛନ୍ତି । ଘଡ଼ଘଡ଼ି ପଡ଼ିବା ପରେ ସ୍କୁଲର ଝରକାର କାଚ ଭାଙ୍ଗି ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା, ଏହା ଦେଖି ପିଲାମାନେ ଭୟଭୀତ ହୋଇପଡ଼ିଥିଲେ । ପରେ ଶିକ୍ଷକମାନେ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ ।