ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଲା ଝିଟିପିଟି । ବିହାରର ଭାଗଲପୁରରୁ ଆସିଛି ଏଭଳି ଏକ ଘଟଣା । ଶନିବାର ଏଠାରେ ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୧୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାଞ୍ଚ ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଯାଇଥିବା ଖେଚୁଡ଼ିରୁ ଏକ ମଲା ଝିଟିପିଟି ବାହାରିଥିଲା ।
କିଛି ଅଭିଭାବକ ପିଲାମାନଙ୍କର ବାନ୍ତି ହେଉଥିବାର ଦେଖି ରାଗିଯାଇଥିଲେ ଏବଂ ବିଦ୍ୟାଳୟରେ ପହଞ୍ଚି ପ୍ରବଳ ହୋହଲ୍ଲା କରିଥିଲେ । ଏହି ସମୟରେ ବିଦ୍ୟାଳୟ ସନ୍ନିକଟ ସୁଲତାନଗଞ୍ଜ-ଶାହକୁଣ୍ଡ ମୁଖ୍ୟ ରାସ୍ତା କିଛି ସମୟ ଯାଏ ଜାମ୍ ହୋଇ ଯାଇଥିଲା । ଖବର ପାଇ ବିଡିଓ ସଞ୍ଜୀବ କୁମାର ଓ ସ୍ଥାନୀୟ ଥାନା ଅଧିକାରୀ କହ୍ନେୟା କୁମାର ଝା ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଅସୁସ୍ଥ ପିଲାମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଶାହକୁଣ୍ଡ ହସ୍ପିଟାଲ ପଠାଯାଇଛି ।
ମିଳିଥିବା ସୂଚନା ମୁତାବକ, ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରସା ଯାଇଥିଲା । କିଛି ପିଲା ବିଦ୍ୟାଳୟରେ ବସି ଖାଇଥିବା ବେଳେ ଆଉ କିଛି ପିଲା ଘରକୁ ଖାଦ୍ୟ ନେଇ ଯାଇଥିଲେ । ତେବେ ଖାଦ୍ୟ ଦିଆଯିବା ସମୟରେ ଖେଚୁଡ଼ିରେ ଏକ ମଲା ଝିଟିପିଟି ଦେଖିବାକୁ ମିଳିଥିଲା । ଝିଟିପିଟି ଦେଖି ଜଣେ ପିଲା ବାନ୍ତି କରିଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଖିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ି ଯାଇଥିଲା । ସେପଟେ ଘରକୁ ଖାଦ୍ୟ ନେଇ ଯାଇଥିବା ପିଲାମାନେ ବି ବାନ୍ତି କରିଥିଲେ । ଏହା ଦେଖି ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଜୋର୍ଦାର ହଙ୍ଗାମା କରିଥିଲେ ।
ଏପଟେ ଡାକ୍ତରଙ୍କ କହିବା ମୁତାବକ, ଦୁଇ ଜଣ ପିଲାଙ୍କୁ ସାଲାଇନ୍ ଦିଆଯାଇଛି । ପିଲାମାନେ ଫୁଡ୍ ପଏଜନିଂର ଶିକାର ହୋଇଥିଲେ । ବର୍ତ୍ତମାନ ସମସ୍ତେ ସୁସ୍ଥ ଅଛନ୍ତି ।