ସିଙ୍ଗଡ଼ା ଭିତରେ ଝିଟିପିଟି ! ଆଳୁ ଭାବି ଅଧା ଭାଗ ଖାଇଥିବା ପିଲାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା

ମଧ୍ୟପ୍ରଦେଶର ରିୱାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ୫ ବର୍ଷର ଜଣେ ପିଲା ସମୋସା ଖାଇ ଅସୁସ୍ଥ ହୋଇପଡ଼ିଛି । ପ୍ରକୃତ କଥା ହେଉଛି, ସେ ଖାଇଥିବା ସମୋସା ଭିତରୁ ଏକ ମଲା ଝିଟିପିଟି ବାହାରିଛି । ପିଲାଟି ଆଳୁ ଭାବି ଖାଇଲା ବେଳକୁ ସେଥିରୁ ମଲା ଝିଟିପିଟି ବାହାରିଥିଲା । ପରିବାର ଲୋକେ ଯେତେବେଳେ ଦେଖିଲେ, ସେମାନଙ୍କ ହୋଶ୍ ଉଡ଼ିଯାଇଥିଲା ।

ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା କୁହାଯାଉଛି । ଘଟଣାକୁ ନେଇ ପରିବାର ଲୋକେ କ୍ରୋଧିତ ଥିବାର ଦେଖାଯାଇଛନ୍ତି ।

ଖବର ଅନୁସାରେ, ରିୱାର ୨ ନମ୍ବର ୱାର୍ଡରେ ରହୁଥିବା ଜଣେ ମହିଳା ନିଜ ଆଖି ଚିକିତ୍ସା ପାଇଁ ପରିବାର ସଦସ୍ୟଙ୍କ ସହ ହସ୍ପିଟାଲ ଯାଇଥିଲେ । ଏହି ସମୟରେ ତାଙ୍କର ଦୁଇ ପିଲା ସ୍କୁଲ ଯାଇଥିଲେ । ମହିଳା ଜଣକ ହସ୍ପିଟାଲକୁ ଫେରିବା ବେଳେ ବାଟରୁ ଏକ ଦୋକାନରୁ ସିଙ୍ଗଡ଼ା କିଣିକି ଘରକୁ ଆଣିଥିଲେ । ପିଲାମାନେ ସ୍କୁଲରୁ ଫେରିବା ପରେ ମହିଳା ସେମାନଙ୍କୁ ସିଙ୍ଗଡ଼ା ଖାଇବାକୁ ଦେଇଥିଲେ । ହେଲେ କୁନି ପୁଅଟି ଯେତେବେଳେ ସିଙ୍ଗଡ଼ା ଖାଇଥିଲା, ସେଥିରୁ ଏକ ମଲା ଝିଟିପିଟି ବାହାରିଥିଲା । ବାକି ଭାଗଗୁଡ଼ିକୁ ସେ ପୂର୍ବରୁ ଖାଇ ସାରିଥିଲା ।

ପରିବାର ଲୋକେ ଡରି ଯାଇ ତୁରନ୍ତ ତାକୁ ପାଖ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତରମାନେ ଚିକିତ୍ସା କରିବା ପରେ ପିଲାଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି ।

You might also like