ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ମାଲଗାଡ଼ି ମୁହାଁମୁହିଁ ଧକ୍କା, ୨ ଲୋକ ପାଇଲଟ ମୃତ

ଓଡିଶା ପରେ ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବରହେଟରେ NTPC ଫାଟକ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏହି ଘଟଣାରେ ଦୁଇ ଲୋକ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ଜଣେ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଏକ ଖାଲି ମାଲଗାଡ଼ି ଅନ୍ୟ ଏକ କୋଇଲା ଭର୍ତ୍ତି ମାଲଗାଡ଼ି ସହିତ ଧକ୍କା ହୋଇଛି ।

ଘଟଣାଟି ଭୋର ସାଢ଼େ ୩ଟାରେ ଘଟିଥିଲା । ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା । ଏହି ସମୟରେ, ଅପର ପାର୍ଶ୍ୱରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଏହାକୁ ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ଇଞ୍ଜିନ ଏବଂ କୋଇଲା ବୋଝେଇ ବଗିରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା ଏବଂ ଇଞ୍ଜିନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସାହିବଗଙ୍ଗ ଜିଲ୍ଲାର ବରହେଟ ଥାନା ସ୍ଥିତ ଫରକ୍କା-ଲଲମାଟିଆ ଏମଜିଆର ରେଳ ଲାଇନରେ ଦୁର୍ଘଟଣା ଘଟିଥିଲା ।

ଅଗ୍ନିଶମ ବାହିନୀ କର୍ମଚାରୀମାନେ କହିଛନ୍ତି ଯେ, ଇଞ୍ଜିନରେ ସାତ ଜଣ ଲୋକ ଥିଲେ, ଯେଉଁଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଆହତ ହୋଇଛନ୍ତି । ଜଣେ ଶ୍ରମିକ ଇଞ୍ଜିନରେ ଫସି ରହିଥିବା ବେଳେ ତାଙ୍କୁ ବାହାର କରିବାକୁ ଚେଷ୍ଟା ଚାଲିଛି । ସମସ୍ତଙ୍କୁ ବାରହାଟ ସଦର ହସ୍ପିଟାଲକୁ ନିଆଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ବାରହାଟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ମାଲଗାଡ଼ି ପରସ୍ପର ସହିତ ଧକ୍କା ହେବା ପରେ ମାଲଗାଡ଼ି ଇଂଜିନରେ ନିଆଁ ଲାଗିଯାଇଥିଲା । ମାଲଗାଡ଼ିରେ କୋଇଲା ଭର୍ତ୍ତି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ଯାକ ଗାଡ଼ିର ଲୋକ ପାଇଲଟଙ୍କ ଜୀବନ ଚାଲିଯାଇଛି । ଜଣେ ସିଆଇଏସଏଫ ଯବାନ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଓଡ଼ିଶାର କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ବାଙ୍ଗାଲୋର-କାମାକ୍ଷା ଏସି ସୁପରଫାଷ୍ଟ ମଙ୍ଗୁଳି ପାସେଞ୍ଜର ହଲ୍ଟ ପାଖରେ ଲାଇନଚ୍ୟୁତ ହୋଇ ୧୧ଟି ବଗି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇବା ବେଳେ ୩ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।

Also Read : କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା : ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର