ଲୋକସଭା ଓ ରାଜ୍ୟସଭାରେ ନିଟ୍ ତାତି : ସୋମବାର ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ନୂଆଦିଲ୍ଲୀ : ସଂସଦରେ ନିଟ୍ ତାତି। ଗୃହକୁ ସୋମବାର ଯାଏ ମୁଲତବି ଘୋଷଣା କଲେ ବାଚସ୍ପତି। ଲୋକସଭାରେ ନିଟ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡଗେ ଉଠାଇଲେ ପ୍ରସଙ୍ଗ। ଗୃହରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି । ରାହୁଲ କହିଲେ ଆମେ ସରକାର ଓ ବିରୋଧୀଙ୍କ ପକ୍ଷରୁ ଦେଶର ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେବାକୁ ଚାହୁଁ ଯେ ଆମେ ଏହାକୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ବିବେଚନା କରିଛୁ । ନିଟ ଉପରେ ଆଜି ହିଁ ଆଲୋଚନା କରିବାକୁ ଦାବି କରିଥିଲେ ରାହୁଲ ।

ତେବେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଥିଲେ ପ୍ରଥମେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ସେପଟେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । କୌଣସି ପ୍ରସଙ୍ଗ ଉଠିଲେ ସରକାର ତାର ବିସ୍ତୃତ ସୂଚନା ପ୍ରଦାନ କରିବେ ବୋଲି କହିଛନ୍ତି ରିଜିଜୁ । ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆଲୋଚନା ନକରି ଗୃହ କାର୍ଯ୍ୟରେ ବାଧା ଉପୁଜାଇବା ନୀତି କଂଗ୍ରେସ ଆପଣାଇଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।