ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହେଲା ନିର୍ବାଚନ ସଂସ୍କାର ବିଲ -୨୦୨୧

ନୂଆଦିଲ୍ଲୀ : ପ୍ରବଳ ବିରୋଧ ମଧ୍ୟରେ ନିର୍ବାଚନ ସଂସ୍କାର ବିଲ -୨୦୨୧ ଲୋକସଭାରେ ପାରିତ ହୋଇଛି। ବିଲ୍‌କୁ ବିରୋଧ କରି ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ତେବେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ନିର୍ବାଚନ ଆଇନ ସଂଶୋଧନ ବିଲ୍ ୨୦୨୧ ଗୃହରେ ପାସ୍ ହୋଇଛି। ପରେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ।

ବିଲ୍ ଆଇନ୍ରେ ପରିଣତ ହେଲେ ଆଧାର ସହ ଭୋଟର ଆଇଡି ଲିଙ୍କ୍ କରିବେ ନିର୍ବାଚନ କମିଶନ । ଫଳରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିହେବ। ଆଧାର ସହ ଭୋଟର ଆଇଡି ଲିଙ୍କ୍ ହେଲେ ଜଣେ ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ। ସେହିଭଳି ଯୁବ ଭୋଟରଙ୍କୁ ବର୍ଷରେ ୪ ଥର ପଞ୍ଜିକରଣ କରିବାକୁ ସୁଯୋଗ ମିଳିବ ।

ପୂର୍ବରୁ ଏକାଧିକ ଭୋଟ ପରିଚୟ ପତ୍ର ରଖିଥିବା ଲୋକେ ଏକାଧିକ ସ୍ଥାନରେ ମତଦାନ କରିପାରୁଥିଲେ। ୨୦୧୯ ଅଗଷ୍ଟରେ ଆଧାର-ଭୋଟର ଆଇଡି ଲିଙ୍କ୍ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିଶନ। ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୨୦୧୫ରେ ମତଦାନ ପାଇଁ ଆଧାର ନମ୍ବର ବ୍ୟବହାର କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ଇସିଆଇ।

କିନ୍ତୁ ଆଧାର ବୈଧତା ବିବାଦକୁ ନେଇ ଅଗଷ୍ଟ ୨୦୧୫ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହା ସ୍ଥଗିତ ରହିଥିଲା । ପରେ ସରକାରୀ ଏଜେନ୍ସୀରେ ଆଧାର ବ୍ୟବହାରକୁ ସର୍ବୋଚ୍ଚ ନ୍ୟାୟାଳୟ କାଣ୍ଟଛାଣ୍ଟ କରିଥିଲେ । ୨୦୧୯ରେ ଆଇନ୍ ମନ୍ତ୍ରାଳୟକୁ ସାନି ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.