ଗବେଷକ : କରୋନା ସଂକ୍ରମଣର ସଠିକ୍ ଲକ୍ଷଣ ହେଉଛି ଘ୍ରାଣ ଓ ସ୍ୱାଦ ଶକ୍ତି ହରାଇବା

ଲଣ୍ଡନ : କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ । ପ୍ରତିଦିନ କରୋନା ଲକ୍ଷଣ ବିଷୟରେ ନୂଆ ତଥ୍ୟମାନ ବାହାରିବାରେ ଲାଗିଛି । ତେବେ ବୈଜ୍ଞାନିକମାନେ ଏବେ କେଉଁ ଲକ୍ଷଣ ରହିଲେ କରୋନା ହୋଇଛି ବୋଲି ସଠିକ୍ ଜଣାପଡ଼ିବ ସେ ସମ୍ପର୍କରେ କହିଛନ୍ତି । ଯଦି କେହି କରୋନ ହୋଇଥିବା ନେଇ ଆଶଙ୍କା କରନ୍ତି ତେବେ ସ୍ୱାଦ ଓ ଘ୍ରାଣ ହରାଇବାକୁ ସଠିକ ଲକ୍ଷଣ ବୋଲି ଧରିବାକୁ ହେବ ବୋଲି ଇଂଲଣ୍ଡର ଗବେଷକମାନେ ପ୍ରକାଶ କରିଛନ୍ତି ।
କିଛି ଲୋକଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନ ଏ ସପ୍ତାହର ‘ପ୍ଲୋସ୍ ମେଡିସିନ୍’ରେ ପ୍ରକାଶିତ ହୋଇଛି। ଏଥିଲାଗି ଲଣ୍ଡନ୍ ପ୍ରାଇମେରି କେୟାର୍ ସେଣ୍ଟର୍ରୁ ତଥ୍ୟ ସଂଗୃହୀତ ହୋଇଥିଲା। ଏମାନଙ୍କ ମଧ୍ୟରୁ ହଠାତ୍ ଘ୍ରାଣ ଓ ସ୍ବାଦ ବାରିବା ଶକ୍ତି ହରାଇଥିବା ୭୮% ବ୍ୟକ୍ତି ବିଶେଷଙ୍କ ଦେହରେ କୋଭିଡ୍-୧୯ ଆଣ୍ଟିବଡି ରହିଥିବା ଜଣାପଡ଼ିଥିଲା ।
ଆମେ ସଂକ୍ରମଣର ଦ୍ବିତୀୟ ପ୍ରବାହ ଆଡ଼କୁ ଗତିକରୁଥିବାରୁ ଏହି ରୋଗ ବିସ୍ତାର ନିୟନ୍ତ୍ରଣ କରିବା ପାଇଁ କୋଭିଡ୍-୧୯କୁ ଜନସାଧାରଣ ଆଗୁଆ ଚିହ୍ନଟ କରିବା ଆବଶ୍ୟକ ବୋଲି ୟୁନିଭର୍ସିଟି କଲେଜ୍ ଲଣ୍ଡନ୍ ମେଡିସିନ୍ ଏବଂ ୟୁସିଏଲ୍ ହସ୍ପିଟାଲ୍ସ୍ର ପ୍ରଫେସର୍ ରାଚେଲ୍ ବ୍ୟାଟର୍ହାମ୍ କହିଛନ୍ତି । ତେଣୁ ଏକାନ୍ତବାସ ଓ ପରୀକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ। ମାତ୍ର ଅଧିକାଂଶ ଦେଶ ଜ୍ବର ଓ ଶ୍ବାସକ୍ରିୟା ଲକ୍ଷଣ ଉପରେ ଧ୍ୟାନ ଦେଉଛନ୍ତି।