ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକା ଘରେ ପହଞ୍ଚିଲା ପ୍ରେମିକ, ଚାହୁଁ ଚାହୁଁ ନିଜ ଦେହରେ ପେଟ୍ରୋଲ ଢାଳି ଲଗାଇ ଦେଲା ନିଆଁ

ପ୍ରେମିକା ଘରେ ନିଜକୁ ନିଆଁ ଲଗାଇ ଜାଳିଦେଲା ପ୍ରେମିକ। ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏଭଳି ଚରମ ନିଷ୍ପତ୍ତି ନେଇଥିଲା ପ୍ରେମିକ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଏବେ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଛନ୍ତି ଯୁବକ। ଘଟଣା ଘଟିଛି ଉତ୍ତର ପ୍ରଦେଶରେ।

ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ପ୍ରେମିକ, ପ୍ରେମିକା ଘର ଭିତରେ ପଶି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ପ୍ରେମିକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରେମିକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଯୁବତୀଙ୍କ ଘର ଲୋକେ ତାଙ୍କ ପୁଅକୁ ଘର ଭିତରକୁ ଡାକି ଜିଅନ୍ତା ଜାଳି ଦେଇଛନ୍ତି। ତେବେ ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ମୁତାବକ, ଏଠାରେ ରହୁଥିବା ସଦ୍ଦାମ ନାମକ ଯୁବକଙ୍କର ନିଜ ପଡ଼ିଶା ଘର ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା।

କିଛି ଦିନ ପୂର୍ବେ ସଦ୍ଦାମ ପ୍ରେମିକାଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ, ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ହଠାତ୍‌ ସଦ୍ଦାମ ନିଜ ପ୍ରେମିକାଙ୍କ ଘରେ ପହଞ୍ଚିଥିଲେ ଏବଂ ସେଠାରେ ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ରହିଛି।

କିନ୍ତୁ ସେପଟେ ପୀଡ଼ିତଙ୍କ ପରିବାର କହିଛନ୍ତି କି, ଯୁବତୀଙ୍କ ପରିବାରର ଅଭିଯୋଗ ପରେ ସେମାନେ ତାଙ୍କ ପୁଅକୁ ପଚରାଉଚରା ପାଇଁ ଘରକୁ ଡକାଇଥିଲେ। ହେଲେ ଘରକୁ ଆସିବା ପୂର୍ବରୁ ହିଁ ଯୁବତୀଙ୍କ ପରିବାର ତାଙ୍କ ପୁଅକୁ ଘର ଭିତରକୁ ଟାଣି ନେଇଥିଲେ ଏବଂ ତା’ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ସଦ୍ଦାମ ଗମ୍ଭୀର ଭାବରେ ଜଳିଯାଇଛନ୍ତି।

Leave A Reply

Your email address will not be published.