ଗ୍ୟାସ୍ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କେମିକାଲ ଟ୍ୟାଙ୍କର, ଜଣେ ମୃତ

ରାଜସ୍ଥାନ : ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର-ଆଜମେର ହାଇୱେରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଗ୍ୟାସ ବୋଝେଇ ଟ୍ରକ୍  ସହ କେମିକାଲ ଟ୍ୟାଙ୍କର ଧକ୍କା ହେବା ପରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ସୂଚନାନୁଯାୟୀ, ଏକ LPG ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ୟାଙ୍କର ଏବଂ ଟ୍ରକ୍  ମୁହାଁମୁହିଁ  ଧକ୍କା ହୋଇ ଜଣଙ୍କର  ମୃତ୍ୟୁ ହୋଇଥିଲା । ଧକ୍କା ହେବା ଯୋଗୁଁ ଗ୍ୟାସ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଟ୍ରକ ଓଲଟି ପଡି ବିସ୍ଫୋରଣ ଘଟିଥିଲା  । ଯାହାର ଶବ୍ଦ ଦୂରଦୂରାନ୍ତର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଏଥିରେ ପ୍ରାୟ ୨୦ଟି ଯାନ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ହୋଇଥିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଡୁଡୁ, ବାଗ୍ରୁ ଏବଂ କିଶନଗଡ଼ରୁ ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଘଟଣା ପରେ ଟ୍ରକର ଡ୍ରାଇଭର ଏବଂ ହେଲପର ନିଖୋଜ  ରହିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।

ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସମସ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ତଦାରଖ କରିବା ପାଇଁ ସେ ଉପମୁଖ୍ୟମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱାଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଉପମୁଖ୍ୟମନ୍ତ୍ରୀ ଘଟଣାସ୍ଥଳର ପରିସ୍ଥିତିକୁ ସମୀକ୍ଷା କରି ଘଟଣା ସମ୍ପର୍କରେ ସୋସିଆଲ ମିଡିଆର ଏକ ପୋଷ୍ଟ ସେୟାର କରି କହିଛନ୍ତି । ଏହା ସହିତ ପୋଲିସ, ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିବା ସହ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା  ଜାରି ରହିଛି ବୋଲି ମଧ୍ୟ କହିଛନ୍ତି ।

Also Read : ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ: ବସ୍ ଉପରେ ଖସିଲା ମାଟି ଅତଡ଼ା, ୧୮ ଯାତ୍ରୀଙ୍କ ମୃତ୍ୟୁ