ଲକ୍ଷ୍ନୌ: ମହିଳା ଓ ଯାତ୍ରୀଙ୍କ ସହ ଅଭଦ୍ରାମୀ ଘଟଣାରେ ହଟିଲେ DCP-ADCP, ଆଇଆଇସିଙ୍କ ସମେତ ଥାନାର ସମସ୍ତ ପୋଲିସ କର୍ମୀ ନିଲମ୍ବିତ

ଲକ୍ଷ୍ନୌରେ ପ୍ରବଳ ବର୍ଷା ମଧ୍ୟରେ ମହିଳା ଓ ଯାତ୍ରୀଙ୍କ ସହ ଅଭଦ୍ରାମୀ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯୋଗୀ ସରକାର । ଏହାର କିଛି ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଡିସିପି, ଅତିରିକ୍ତ ଡିସିପି ଏବଂ ଆସିଷ୍ଟାଣ୍ଟ ପୋଲିସ କମିଶନରଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ଏଥିସହିତ ସ୍ଥାନୀୟ ଆଇଆଇସି, ଥାନା ଇନ୍‌ଚାର୍ଜ ଏବଂ ଥାନାରେ ଉପସ୍ଥିତ ସମସ୍ତ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

ପୂର୍ବରୁ ଅରାଜକତା ସୃଷ୍ଟିକାରୀ ଲୋକଙ୍କୁ ଧରିବା ପାଇଁ ପୋଲିସ ୪ଟି ଟିମ୍‌ ଗଠନ କରିଥିଲା । ଭିଡିଓ ଆଧାରରେ ୪ ଯୁବକଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି । ବାକି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଏବେ ଖୋଜାଖୋଜି କରୁଛି । ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଭିଯୋଗ ମୁତାବକ, ଗତକାଲି ପ୍ରବଳ ବର୍ଷା ଯୋଗୁ ଲକ୍ଷ୍ନୌର ତାଜ ହୋଟେଲ ପାଖ ଗୋମତି ନଗର ଥାନା ଅଧୀନ ଅଣ୍ଡରପାସ୍ ନିକଟରେ ପାଣି ଜମିଯାଇଥିଲା । ଏଠାରେ ଜଳାର୍ଣ୍ଣବ ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ । ସେମାନେ ରାସ୍ତାରେ ଯିବାଆସିବା କରୁଥିବା ମହିଳା ଓ ବୟସ୍କ ଯାତ୍ରୀଙ୍କ ସହ ଅଭଦ୍ର ଆଚରଣ କରିଥିଲେ ।

କିଏ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ରାସ୍ତାରେ ପକାଇ ଦେଇଥିଲା ତ ଆଉ କିଏ ଚଳନ୍ତା କାର୍‌ ଉପରକୁ ରାସ୍ତାର ମଇଳା ପାଣି ଫିଙ୍ଗିଥିଲା । ଏକ ସ୍ଥାନରେ ଯୁବକମାନେ ବାଇକ୍‌ରେ ଯାଉଥିବା ଜଣେ କପଲ୍‌ଙ୍କ ଉପରକୁ ମଇଳା ପାଣି ଫିଙ୍ଗିଥିଲେ ଏବଂ ରାସ୍ତାରେ ସେମାନଙ୍କୁ ପକାଇ ଦେଇଥିଲେ । ଏପରି କି, ଯୁବତୀଙ୍କ ସହ ସେମାନେ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

You might also like