ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍ ବିଧାୟକ: ମୁଣ୍ଡରେ ବାଜିଛି ଗୁଳି, କାରଣ ଅସ୍ପଷ୍ଟ
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍ ବିଧାୟକ । ପଶ୍ଚିମ ଲୁଧିଆନାର ଆପ୍ ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ହୋଇଛି । ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।
ସୂଚନା ଅନୁସାରେ ଗତକାଲି ମଧ୍ୟରାତିରେ ଗୁରପ୍ରୀତଙ୍କୁ ଗୁଳି ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡିଏମସି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୁରପ୍ରୀତ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି । ଭୁଲ୍ ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏନେଇ ତଦନ୍ତ ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପଞ୍ଜାବ ଡିସିପି ଯଶକରନ ସିଂ ତେଜା କହିଛନ୍ତି ।
ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ପରେ ପଞ୍ଜାବର ଆପ୍ ଅଧ୍ୟକ୍ଷ ତଥା ମନ୍ତ୍ରୀ ଅମନ ଅରୋଡା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର। ସେ ବେଶ୍ ଭଲ ଓ ହୃଦୟବାନ ଲୋକ ଥିଲେ । ଆଜି ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ ।
ଗୁରୁପ୍ରୀତ ଗୋଗି ୨୦୨୨ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ସେ ଲୁଧିଆନା ବିଧାନସଭା ନିର୍ବାଚନରେ ଦୁଇଥର ପୂର୍ବତନ କଂଗ୍ରେସ ବିଧାୟକ ଭରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ ।