ଉତ୍ତର ଭାରତରେ ହଠାତ୍ ବଢ଼ିଲା ‘ଲ୍ୟୁପସ୍’ ରୋଗର ମାମଲା, ଡାକ୍ତର ଦେଲେ ସୂଚନା

ଉତ୍ତର ଭାରତରେ ଭୟଙ୍କର ଭାବେ ବଢ଼ୁଛି ଗରମ । ଅନେକ ଲୋକ ଅଂଶୁଘାତରେ ଶିକାର ହୋଇ ମୃତ୍ୟୁବରଣ କରୁଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଉତ୍ତର ଭାରତରେ ‘ଲ୍ୟୁପସ୍’ ରୋଗର ମାମଲା ବୃଦ୍ଧି ପାଇଥିବା ଡାକ୍ତର କହିଛନ୍ତି । ଲ୍ୟୁପସ୍ ହେଉଛି ଏକ ଅଟୋଇମ୍ୟୁନ୍ ରୋଗ । ଏହି ରୋଗ ହେଲେ ପ୍ରତିରକ୍ଷା ପ୍ରଣାଳୀ ହିଁ ଶରୀରର ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଅତ୍ୟଧିକ ଗରମ ଯୋଗୁଁ ଲ୍ୟୁପସ୍ ରୋଗ ବଢ଼ୁଛି । ଏହି ରୋଗରେ ଚର୍ମ, ଗଣ୍ଠି ଏବଂ କିଡନୀ ଭଳି ଅଙ୍ଗ ପ୍ରଭାବିତ ହୋଇଥାଏ । ତାପମାତ୍ରା ବଢ଼ିଲେ ଏହି ରୋଗର ଲକ୍ଷଣ ଲୋକମାନଙ୍କ ନିକଟରେ ବୃଦ୍ଧି ପାଇଥାଏ ।
ଦିଲ୍ଲୀର ସର୍ ଗଙ୍ଗା ରାମ ହସ୍ପିଟାଲର ରିମାଟୋଲୋଜି ଏବଂ କ୍ଲିନିକାଲ୍ ଇମ୍ୟୁନୋଲୋଜିର ବରିଷ୍ଠ କନସଲଟାଣ୍ଟ ଡାକ୍ତର ଲଲିତ ଦୁଗଲ ବୁଧବାର ଦିନ କହିଛନ୍ତି ଯେ ଗରମ ଯୋଗୁଁ ୬ ରୁ ୧୦ ଜଣ ଲ୍ୟୁପସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗ ମୁଖ୍ୟତଃ ମହିଳାମାନଙ୍କୁ ହୋଇଥାଏ । ଏହି ରୋଗ ଶରୀରର ଯେକୌଣସି ଅଙ୍ଗକୁ ପ୍ରଭାବିତ କରିପାରେ । ତ୍ୱଚା, ଗଣ୍ଠି, ଫୁସଫୁସ, କିଡନୀ, ହାର୍ଟ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତେଣୁ ଆପଣମାନେ ଖରା ହେଉଥିବା ସମୟରେ ଘରୁ ନବାହାରିବାକୁ ଚେଷ୍ଟା କରନ୍ତୁ ।