ମାଡ୍ରାସ୍‌ ହାଇକୋର୍ଟଙ୍କ କ୍ଷୋଭ : ବିଚାର ବିଭାଗ ବି ଦୁର୍ନୀତି ମୁକ୍ତ ନୁହେଁ, ଜନ୍ମରୁ ମୃତ୍ୟୁ ଯାଏ ଲୋକେ ଲାଞ୍ଚର ଶିକାର ହେଉଛନ୍ତି

ଚେନ୍ନାଇ : ବିଚାର ବିଭାଗ ବି ଦୁର୍ନୀତିରୁ ମୁକ୍ତ ନୁହେଁ । ଏକଥା କହିଛନ୍ତି ମାଡ୍ରାସ ହାଇକୋର୍ଟ । ଏକ ଦୁର୍ନୀତି ମାମଲାର ଶୁଣାଣି କରି ମାଡ୍ରାସ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏମ୍‌ ସୁବ୍ରମଣ୍ୟମ୍‌ କହିଛନ୍ତି, ଜନସାଧାରଣଙ୍କୁ ନ୍ୟାୟ ଦେବାକୁ ଥିବା ବିଚାର ବିଭାଗରେ ଦୁର୍ନୀତି, ଦେଶର ସମ୍ବିଧାନର ସବୁଠାରୁ ବଡ଼ ଶତ୍ରୁ । ଖାଲି ସେତିକି ନୁହେଁ, ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀ ଆତଙ୍କବାଦୀ ଠାରୁ କମ୍‌ ନୁହେଁ । ଭାରତ ଭଳି ଏକ ମହାନ୍‌ ଦେଶର ଏମାନଙ୍କୁ ମଧ୍ୟ ଦେଶଦ୍ରୋହୀ ଭାବେ ଧରାଯିବା ଉଚିତ । କାରଣ ଏମାନେ ଦେଶର ପ୍ରଗତି ଓ ବିକାଶରେ ବାଧକ । ଏଭଳି ବ୍ୟକ୍ତି ଦେଶର ସ୍ୱାର୍ଥକୁ ବଳି ଦେଇ କେବଳ ନିଜ ସ୍ୱାର୍ଥକୁ ଦେଖନ୍ତି ।
କୋର୍ଟ ଆହୁରି କହିଛନ୍ତି ଯେ ଧନୀ ହେବାକୁ ଉଦ୍ୟମ କରିବା କିଛି ଭୁଲ କଥା ନୁହେଁ । ହେଲେ ଏଥିଲାଗି ଲୋକେ ଯେଉଁ ରାସ୍ତା ଆପଣାଉଛନ୍ତି ତାହା ଦେଶ ଏବଂ ଅନ୍ୟ ଜନସାଧାରଣଙ୍କ ସ୍ୱାର୍ଥହାନି କରୁଛି । ଜଷ୍ଟିସ୍‌ ସୁବ୍ରମଣ୍ୟମ ମହାଭାରତର ଉଦାହରଣ ଦେଇ କହିଛନ୍ତି ଯେ ବର୍ତ୍ତମାନ ବିଚାର ବିଭାଗରେ ପାଣ୍ଡବଙ୍କ ଭଳି କମ୍‌ ସଂଖ୍ୟକ ଦୁର୍ନୀତି ମୁକ୍ତ ବିଚାରପତି ଓ କର୍ମଚାରୀ ରହିଛନ୍ତି । କିନ୍ତୁ ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀଙ୍କ ସଂଖ୍ୟା କୌରବ ବଂଶ ଭଳି । ତେଣୁ ବିଭାଗକୁ ଦୁର୍ନୀତି ମୁକ୍ତ କରିବା ଲାଗି ଦୃଢ଼ ପଦକ୍ଷେପ ନିଆଯିବା ଦରକାର ବୋଲି କହିଛନ୍ତି ଜଷ୍ଟିସ୍‌ ସୁବ୍ରମଣ୍ୟମ ।

BRIBE-1ସେ ଆହୁରି କହିଛନ୍ତି, ସରକାରୀ ଯୋଜନା ହାସଲ କରିବାକୁ ଅଧିକାରୀମାନଙ୍କୁ ଲୋକେ ଲାଞ୍ଚ ଦେଉଛନ୍ତି । ଏମିତିକି ଶିକ୍ଷାନୁଷ୍ଠାନରେ ଆଡମିସନ ଏବଂ ସରକାରୀ ଅଫିସରେ କାମ କରାଇଦେବା ଲାଗି ଅଧିକାରୀମାନେ ଯୌନ ଶୋଷଣ କରିବାକୁ ବି ପଛାଉ ନାହାନ୍ତି । ଏହାଠାରୁ ବଳି ଆଉ ବଡ଼ ଦୁଃଖଦାୟକ ଘଟଣା କଣ ହୋଇ ପାରେ ବୋଲି ସେ କହିଛନ୍ତି ।
ଗୋଟିଏ ପିଲା ମା ପେଟରୁ ଜନ୍ମ ହେବା ବେଳରୁ ମଶାଣିକୁ ଯିବା ଯାଏ ଜୀବନ ଯାକ ପ୍ରତି କ୍ଷେତ୍ରରେ ଦୁର୍ନୀତିର ଶିକାର ହେଉଛି । ସରକାରୀ ଡାକ୍ତରଖାନାରେ ପୁଅ କମ୍ବା ଝିଅ ଜନ୍ମ ହେଲେ ସେହି ଅନୁପାତରେ କମ୍‌ ବେଶି ଲାଞ୍ଚ ମଗା ଯାଉଛି ।

COURT-3ଦୁର୍ନୀତି କେବଳ ବିଚାର ବିଭାଗରେ ନାହିଁ, ଭିଜିଲାନ୍ସ ଏବଂ ଅନ୍ୟ ଦୁର୍ନୀତି ନିରୋଧ ସଂସ୍ଥାରେ ବି ରହିଛି । ଲୋକେ ଲାଞ୍ଚ ଦେଇ କାମ କରାଇ ନେଉଛନ୍ତି । ବେଶ୍‌ କିଛି ଲୋକଙ୍କ ପାଇଁ ଦୁର୍ନୀତି ନୀତିରେ ପରିଣତ ହୋଇଛି । ତେଣୁ ଏବେ ସମୟ ଆସିଛି ଆମ ଦେଶର ଯୁବ ପିଢ଼ି ଅତି ଶୀଘ୍ର ନିଷ୍ଠା ଓ ସାଧୁତା ଆଦିର ଗୁରୁତ୍ୱକୁ ଉପଲବ୍‌ଧ କରିବା ଉଚିତ ।
ଲାଞ୍ଚ ନେଇ ନିଲମ୍ବିତ ହୋଇଥିବା ଜଣେ ଗ୍ରାମ୍ୟ ପ୍ରଶାସନିକ ଅଧିକାରୀଙ୍କ ମାମଲାର ଶୁଣାଣି କରିବା ବେଳେ ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ ଏକଥା କହିଛନ୍ତି ।

 

Leave A Reply

Your email address will not be published.