‘ଗୁଲାମୀ’ ଆଉ ଚଳିବ ନାହିଁ; ୪ ମାସ ଭିତରେ ବ୍ୟବସ୍ଥା ହଟାଇବାକୁ ତାମିଲନାଡ଼ୁ ସରକାରଙ୍କୁ ଆଦେଶ ଦେଲେ ହାଇକୋର୍ଟ!

ଆଉ ଚଳିବ ନାହିଁ ‘ଗୁଲାମଗିରି’। ଏଣିକି କେହି ପ୍ରଶିକ୍ଷିତ ତଥା ଦକ୍ଷ ପୋଲିସ କର୍ମୀ କାହାର ଚାଟୁକାର ହୋଇ ରହି ପାରିବେ ନାହିଁ। ବରିଷ୍ଠ ଅଧିକାରୀମାନଙ୍କ ଘରେ ତିଆରି କରିବେନି ଦୋସା କି ରୁଟି। ଏହି ବ୍ୟବସ୍ଥାକୁ ୪ ମାସ ଭିତରେ ତୁରନ୍ତ ହଟାଇବାକୁ କଡ଼ା ଆଦେଶ ଦେଇଛନ୍ତି ମାଡ୍ରାସ୍‌ ହାଇକୋର୍ଟ।

‘ଅର୍ଡଲୀ’ ପ୍ରଥାକୁ ଉଠାଇବା ପାଇଁ ମାଡ୍ରାସ୍‌ ହାଇକୋର୍ଟଙ୍କ ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ ତାମିଲନାଡ଼ୁ ସରକାର ଏବଂ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଏଣିକି ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ କଦାଚାରର ଅଭିଯୋଗ ଆସେ, ତା’ ହେଲେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌।

ଅର୍ଡଲୀ ନିଯୁକ୍ତି ମାମଲାରେ ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ଙ୍କ ଦ୍ୱାରା ଅନ୍ତିମ ଆଦେଶ ଅଗଷ୍ଟ ୨୩ରେ ପାରିତ ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୧୨ରେ ବ୍ୟବସ୍ଥା ପାଳନ କରାଯିବାକୁ ନେଇ ହାଇକୋର୍ଟ ରାଜ୍ୟ ପୋଲିସ ବିଭାଗ ଉପରେ ଖୁବ୍‌ ବର୍ଷିଥିଲେ। ଜଷ୍ଟିସ୍‌ଙ୍କ କହିବା ମୁତାବକ, ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥାଇ ପାରେ, ହେଲେ ତାମିଲନାଡ଼ୁ ପୋଲିସ ବିଭାଗରେ ‘ଔପନିବେଶକ ଗୁଲାମୀ ବ୍ୟବସ୍ଥା’ର ଅସ୍ତିତ୍ୱ ଦେଖିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ।

ହାଇକୋର୍ଟ କହିଛନ୍ତି, ଆଜି ମଧ୍ୟ ଏହି ପ୍ରଥା ଜାରି ରହିବା ଭାରତର ସମ୍ବିଧାନ ଏବଂ ଗଣତନ୍ତ୍ର ଉପରେ ଚାପୁଡ଼ା ସଦୃଶ। ଗତ ୫ ତାରିଖରେ ବି କୋର୍ଟ ଏହି ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ହେଲେ ଏହାର କିଛି ଦିନ ପରେ ଖବର ସାମ୍ନାକୁ ଆସିଥିଲା ଯେ ଅତି କମ୍‌ରେ ୧୯ ଜଣ ପୋଲିସ କର୍ମୀ ବରିଷ୍ଠ ଅଧିକାରୀ ମାନଙ୍କ ଘରେ କାମ କରୁଛନ୍ତି। କୋର୍ଟଙ୍କ ମୁତାବକ, ସମ୍ବିଧାନ ଅନୁସାରେ ଜଣେ ପଦାଧିକାରୀ କେବଳ ଜନତାଙ୍କ ସେବା କରିବା ଉଚିତ୍‌।

କହି ରଖୁଛୁ, ୧୯ଶ ଶତାବ୍ଦୀରେ ଇଂରେଜ ମାନେ ‘ଅର୍ଡଲୀ’ ବ୍ୟବସ୍ଥାକୁ ପୋଲିସ ବିଭାଗରେ ଲାଗୁ କରିଥିଲେ। ଜଣେ ଅର୍ଡଲୀର କାମ ହେଉଛି, ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବର୍ଦ୍ଦିର ସଫେଇ କରିବା ଏବଂ ତାଙ୍କର ଦେଖାଶୁଣା କରିବା। ଘରକୁ ଆସୁଥିବା ଫୋନ୍‌ କଲ୍‌ ଉଠାଇବା ଠାରୁ ଆରମ୍ଭ କରି ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଏବଂ ତାଙ୍କ ଘରର ଛୋଟ ମୋଟ କାମ କରିବା ମଧ୍ୟ ଅର୍ଡଲୀ ପୋଲିସ କର୍ମୀଙ୍କ ଦାୟିତ୍ୱ ରହି ଆସିଛି। ଯଦିଓ ଜାତୀୟ ସ୍ତରରେ ଅନେକ ବାର ଏହି ବ୍ୟବସ୍ଥାକୁ ଉଠାଇ ନେବାକୁ ଦାବି ହୋଇ ଆସିଛି, ତଥାପି ପ୍ରଥା ଏବେ ବି ଜୀବିତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.