ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ‘ଗୁରୁ’ ମାଫିଆ ସୁଭାଷ ଠାକୁର ଜେଲ୍ ସ୍ଥାନାନ୍ତର, ରୋଗ ବାହାନାରେ ୫ ବର୍ଷ ଧରି ହସ୍ପିଟାଲରେ ଥିଲେ

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ‘ଗୁରୁ’ ମାଫିଆ ସୁଭାଷ ଠାକୁର ୫ ବର୍ଷ ପରେ ହସ୍ପିଟାଲରୁ ବାହାରି ଜେଲ୍ ଯାଇଛନ୍ତି । ତାଙ୍କୁ ବାରାଣସୀର ବିଏଚୟୁ ହସ୍ପିଟାଲରୁ ଫତେହଗଡ଼ କେନ୍ଦ୍ରୀୟ ଜେଲକୁ ପଠାଯାଇଛି । ସୁଭାଷ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ବାରାଣସୀ ପୋଲିସ କମିଶନର ବିଏଚୟୁର ୧୨ ଜଣ ବିଶେଷଜ୍ଞ ଡାକ୍ତରଙ୍କ ପ୍ୟାନେଲ ମାଧ୍ୟମରେ ସୁଭାଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଘୋଷଣା କରିଥିଲେ । ମେଡିକାଲ ରିପୋର୍ଟ ଆସିବା ପରେ ତାଙ୍କୁ ଫତେହଗଡ଼ ଜେଲ ସ୍ଥାନାନ୍ତର କରାଯାଇଛି ।

ବାରାଣସୀର ବିଏଚୟୁ ହସ୍ପିଟାଲରୁ ବାହାରିବା ସମୟରେ ସୁଭାଷ ଠାକୁରଙ୍କ ରୂପ ସମ୍ପୂର୍ଣ୍ଣ ବଦଳି ଯାଇଥିବା ନଜର ଆସିଥିଲା । ତାଙ୍କର ଧଳା ପୋଷାକ, ଧଳା ପଗଡି ଏବଂ ଲମ୍ବା ଦାଢ଼ି ହେତୁ ଅପରାଧ ଦୁନିଆର ଲୋକେ ତାଙ୍କୁ ‘ବାବା’ ବୋଲି ଡାକନ୍ତି । ପୋଲିସ ସୁଭାଷଙ୍କୁ ଏକ ହ୍ୱିଲ ଚେୟାରରେ ବସାଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନେଇଥିଲା ।

୯୦ ଦଶକରେ ସୁଭାଷ ଠାକୁର ଓରଫ୍ ସୁଭାଷ ରାୟ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଏକ କୁଖ୍ୟାତ ନାମ ଥିଲା । ସୁଭାଷ ବାରାଣସୀର ଫୁଲପୁର ଥାନା ଅଧୀନ ନୱାଡା ଗାଁର ବାସିନ୍ଦା । ୯୦ ଦଶକରେ କାମ ସନ୍ଧାନରେ ସେ ମୁମ୍ବାଇ ଆସିଥିଲେ, କିନ୍ତୁ ଏଠାରେ ବିଲ୍ଡରମାନଙ୍କଠାରୁ ଟଙ୍କା ଲୁଟିବା ଆରମ୍ଭ କରିଦେଇଥିଲେ । ସେମାନଙ୍କୁ ଧମକଚମକ ଦେଉଥିଲେ ଏବଂ ଚାହୁଁ ଚାହୁଁ ସୁପାରୀ କିଲର ହୋଇଯାଇଥିଲେ ।

ସୁଭାଷ ଠାକୁର ଦୀର୍ଘ ଦିନ ଧରି ହସ୍ପିଟାଲରେ ରହିବା ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଜେଲ୍ ଡିଜି ପି.ଭି. ରାମାଶାସ୍ତ୍ରୀ । ଏହାପରେ ବାରାଣସୀ ପୋଲିସ କମିଶନର ମୋହିତ ଅଗ୍ରୱାଲ ବିଏଚୟୁ ବିଶେଷଜ୍ଞ ଡାକ୍ତରଙ୍କ ପ୍ୟାନେଲ ଗଠନ କରି ସୁଭାଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏଥିରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଇଥିଲା । ବର୍ତ୍ତମାନ ସୁଭାଷଙ୍କୁ ପୋଲିସ ସୁରକ୍ଷା ଅଧୀନରେ ଫତେହଗଡ଼ କେନ୍ଦ୍ରୀୟ ଜେଲ ପଠାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରାମ ରହିମଙ୍କୁ ପୁଣିଥରେ ପାରୋଲ, ୬ ବର୍ଷ ଭିତରେ ଜେଲରୁ ବାହାରିଲେଣି ୧୨ ଥର