ପ୍ରୟାଗରାଜ ସଙ୍ଗମରେ ମାଘ ପୂର୍ଣ୍ଣିମା ସ୍ନାନ ଜାରି, ଏପର୍ଯ୍ୟନ୍ତ ୧.୩୦ କୋଟି ଶ୍ରଦ୍ଧାଳୁ ପକାଇଲେଣି ବୁଡ଼

ପ୍ରୟାଗରାଜ ସଙ୍ଗମରେ ସାଂଘାତିକ ଭିଡ଼ । ଆଜି ପବିତ୍ର ମାଘ ପୂର୍ଣ୍ଣିମାରେ ସଙ୍ଗମରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବହୁ ସଂଖ୍ୟାର ଭକ୍ତ ସ୍ନାନ କରୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଘାଟରେ ଜନସମାଗମ ହୋଇଛି । ସକାଳ ୩ଟାରୁ ସ୍ନାନ ଚାଲିଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୩୦ ଲକ୍ଷ ବୁଡ଼ ପକାଇସାରିଲେଣି ।
ଆଜି ମାଘ ପୂର୍ଣ୍ଣିମା ପାଇଁ ନୂତନ ଟ୍ରାଫିକ ନିୟମ ଜାରି କରିଛି ପ୍ରଶାସନ । ମେଳା କ୍ଷେତ୍ର ସମେତ ସମଗ୍ର ସହରକୁ ନୋ ଭେହିକିଲ୍ ଜୋନ୍ କରାଯାଇଛି । ଏପରିକି ଭିଆଇପି ଗାଡି ମଧ୍ୟ ପ୍ରବେଶ ହେଉନି । ମହାକୁମ୍ଭର ଶେଷ ପର୍ଯ୍ୟାୟରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି । ଆଜି ମାଘ ପୂର୍ଣ୍ଣିମା ଥିବାରୁ ପ୍ରୟାଗରାଜରେ ପହଂଚିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।
ତେବେ ମାଘ ପୂର୍ଣ୍ଣିମା ଅବସରରେ ୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇପାରନ୍ତି । ତେଣୁକରି ୩୨୨ରୁ ଅଧିକ ସିଭିଲ ଅଧିକାରୀ ଏବଂ ୯ ହଜାରରୁ ଅଧିକ ବଳ ରହିଛନ୍ତି । ୬୦ରୁ ଅଧିକ ଆରଏଏଫ କମ୍ପାନୀ, ଟ୍ରାଫିକ ପୋଲିସ ନିୟୋଜିତ ରହିଛନ୍ତି । ଗୁଜବ ଉପରେ ଧ୍ୟାନ ନ ଦେବାକୁ କୁହାଯାଇଛି । ମେଳା ପାଇଁ ସ୍ପେଶାଲ ଟ୍ରେନ ଏବଂ ଅନ୍ୟ ଟ୍ରେନ ସାମାନ୍ୟ ଭାବେ ଚାଲୁଛି । ଗତ କିଛିଦିନ ହେଲାଣି ଟ୍ରାଫିକ ସମସ୍ୟା ରହିଥିଲା କିନ୍ତୁ ସେଥିପାଇଁ ଏବେ ବିଶେଷ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି ।
ଏହା ଅନୁସାରେ ମେଳା କ୍ଷେତ୍ରକୁ ନୋ ଭେଇକିଲ ଜୋନ ଘୋଷଣା କରାଯାଇଛି । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡି ସକାଳ ୪ଟାରୁ ସମ୍ବନ୍ଧୀୟ ରୁଟରେ ପାର୍କିଂରେ ପାର୍କ ହେବ । ଜରୁରୀକାଳୀନ ସେବା ଗାଡିକୁ ଏଥିରୁ ବାଦ୍ ଦିଆଯାଇଛି । ଭିଡକୁ ଦୃଷ୍ଟିରେ ରଖି ଭାରି ଯାନକୁ ସହର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।
ମାଘ ପୂର୍ଣ୍ଣିମାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପିଲା ଏବଂ ମହିଳା, ବୟସ୍କଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁ କିଭଳି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ତାହାକୁ ପ୍ରାଥମିକତା ଦିଆଯାଇଛି । ନଦୀ ହେଉ ଅବା ମେଳା ପରିସର, ଲଗାତାର ସଫାସୁତରା ରଖିବାକୁ କୁହାଯାଇଛି । କୌଣସି ଷ୍ଟେସନରେ ଅତ୍ୟଧିକ ଭିଡ଼ ହେଲେ ଅଧିକ ବସ୍ ଚଲାଇବାକୁ କୁହାଯାଇଛି ।
Also Read : ମହାକୁମ୍ଭରେ ପ୍ରବଳ ଭିଡ଼ : ମାଘ ପୂର୍ଣ୍ଣିମା ପାଇଁ ନୂଆ ନିର୍ଦ୍ଦେଶ, ମେଳା କ୍ଷେତ୍ରକୁ ଯାଇପାରିବ ନାହିଁ କୌଣସି ଗାଡ଼ି