ମହାକୁମ୍ଭରେ ମହିଳାଙ୍କ ସ୍ନାନ କରିବାର ଫଟୋ ସେୟାର କରୁଥିଲେ ସାବଧାନ୍, ୧୫ଟି ସୋସିଆଲ ଆକାଉଣ୍ଟ ଉପରେ ମାମଲା ରୁଜୁ କଲା ପୋଲିସ

ପ୍ରୟାଗରାଜ ସଙ୍ଗମରେ ପ୍ରବଳ ଭିଡ଼ । ପବିତ୍ର ମାଘ ପୂର୍ଣ୍ଣିମାରେ ସଙ୍ଗମରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବହୁ ସଂଖ୍ୟାର ଭକ୍ତ ସ୍ନାନ କରୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୩୦ ଲକ୍ଷ ବୁଡ଼ ପକାଇସାରିଲେଣି । ଏପର୍ଯ୍ୟନ୍ତ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି । ତେବେ ଏହି ମହାକୁମ୍ଭକୁ ନେଇ ଆସିଛି ଏକ ଚାଞ୍ଚଲକର ଖବର । ପ୍ରୋୟଗରାଜରେ ଥିବା ମହାକୁମ୍ଭରେ ମହିଳାମାନେ ସ୍ନାନ କରୁଥିବାର ଆପତ୍ତିଜନକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଖବର ନଜରକୁ ଆସିଛି ।
କେବଳ ସେତିକି ନୁହେଁ ଫଟୋ ଓ ଭିଡିଓ ପୋଷ୍ଟ ସହ ବିକ୍ରି କରିବା ଲୋକଙ୍କ ଉପରେ ପୋଲିସ ଆକ୍ସନ ନେଇଛନ୍ତି । ଏନେଇ ପୋଲିସ ୧୫ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୁଦ୍ଧରେ ଏଫଆଇଆର ରୁଜୁ କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ମୋଟ ୧୭ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ପ୍ରଥମ ମାମଲା ହେଉଛି ୧୭ ଫେବୃଆରୀ ୨୦୨୫ର ଘଟଣା । ପ୍ରୟାଗରାଜ ପୋଲିସ ଇନଷ୍ଟାଗ୍ରାମ ଆକାଉଣ୍ଟ (@neha1224872024) ବିରୁଦ୍ଧରେ ଏକ ମାମଲା ରୁଜୁ କରିଛନ୍ତି ।
ଏହି ଆକାଉଣ୍ଟରୁ କୁମ୍ଭରେ ସ୍ନାନ କରୁଥିବା ମହିଳା ମାନଙ୍କର ଆପତ୍ତିଜନକ ଭିଡିଓ ପୋଷ୍ଟ କରାଯାଉଥିଲା । ପୋଲିସ ମେଟାକୁ ଆକାଉଣ୍ଟ ଅପରେଟରଙ୍କ ବିଷୟରେ ସୂଚନା ମାଗିଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।
ଦ୍ୱିତୀୟ ମାମଲାଟି ୧୯ ଫେବୃଆରୀ ୨୦୨୫ର । ପୋଲିସ ଏକ ଟେଲିଗ୍ରାମ ଚ୍ୟାନେଲ (CCTV ଚ୍ୟାନେଲ 11) ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ।
ଏହି ଚ୍ୟାନେଲରେ ମହିଳାଙ୍କ ଗାଧୋଇବା ସମୟର ଆପତ୍ତିଜନକ ଭିଡିଓ ଗୁଡ଼ିକୁ ଟଙ୍କା ବିନିମୟରେ ବିକ୍ରି କରାଯିବ ବୋଲି କୁହାଯାଇଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ପୋଲିସ ମହିଳାଙ୍କ ଗାଧୋଇବାର ଆପତ୍ତିଜନକ ଭିଡିଓ ପୋଷ୍ଟ କରିଥିବା ୧୫ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ତେବେ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଉପରେ ନିରନ୍ତର ନଜର ରଖିଥିବା କଥା କହିଛନ୍ତି ପୋଲିସ । ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ସେୟାର କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଭଳି ଅପରାଧରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଖୁବ୍ ଶୀଘ୍ର ଗିରଫ କରାଯିବ।
Also read: ମହାକୁମ୍ଭରେ ପୁଣି ଅଘଟଣ, ସେକ୍ଟର ୮ରେ ଥିବା ଏକ ଶିବିରରେ ଅଗ୍ନିକାଣ୍ଡ