ମହାକୁମ୍ଭ ମେଳା ପାଇଁ ଜନସମୁଦ୍ର ପ୍ରୟାଗରାଜ, ଦେଶ ବିଦେଶରୁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ମହାକୁମ୍ଭ ମେଳା ପାଇଁ ଜନସମୁଦ୍ର ପ୍ରୟାଗରାଜ । ଆଜିଠୁ ୪୫ ଦିନ ଧରି ଚାଲିବ ମହାକୁମ୍ଭ ମେଳା । ଏଥିରେ ଦେଶ ବିଦେଶରୁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଗଙ୍ଗା, ଯମୁନା ଓ ସରସ୍ବତୀର ମିଳନ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରବଳ ଭିଡ଼ । ମହାକୁମ୍ଭ ମେଳାର ପ୍ରମୁଖ ଆକର୍ଷଣ ରହିଛି ଶାହୀ ସ୍ନାନ।
ଆସନ୍ତାକାଲି ମକରସଂକ୍ରାନ୍ତିରେ ପ୍ରଥମ ଶାହୀ ସ୍ନାନ ତିଥି ଥିବାବେଳେ ଜାନୁୟାରୀ ୨୯ରେ ଦ୍ୱିତୀୟ ଓ ଫେବୃୟାରୀ ୩ରେ ତୃତୀୟ ଶାହୀ ସ୍ନାନ ତିଥି ପଡିଛି । ମହାକୁମ୍ଭ ମେଳା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ମହାକୁମ୍ଭ ମେଳା ପାଇଁ ଦେଢ଼ ଲକ୍ଷ ଅସ୍ଥାୟୀ ଟେଣ୍ଟ କରାଯାଇଛି।
ଶ୍ରଦ୍ଧାଳୁମାନଙ୍କ ରହିବା ଖାଇବା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ଗଙ୍ଗା ନଦୀରେ ମଧ୍ୟ ଟ୍ୟୁବ ସାହାଯ୍ୟରେ ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ ସେତୁ ନିର୍ମାଣ କରାଯାଇଛି । ମହାକୁମ୍ଭ ମେଳା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ରାପିଡ ଆକ୍ସନ ଫୋର୍ସ, ପୋଲିସ ଓ ସିଆରପିଏଫ ମୁତୟନ ହୋଇଛନ୍ତି ।
୧୨ ବର୍ଷ ପରେ ପ୍ରୟାଗରାଜରେ ହେଉଥିବା ଏହି ମହାକୁମ୍ଭ ମେଳାର ବିଶେଷ ଗୁରୁତ୍ୱ ରହିଛି। ୧୪୪ ବର୍ଷ ପରେ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଗ୍ରହ ସରଳ ରେଖାରେ ରହୁଥିବାରୁ ଏହା ବିଶେଷ ଯୋଗ ସୃଷ୍ଟି କରିଛି । ତେଣୁ ଚଳିତ ବର୍ଷର କୁମ୍ଭ ମେଳାର ବେଶ ମହତ୍ୱ ରହିଛି ।