ଧାର୍ମିକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଟ୍ରକ-ପିକଅପ୍ ଧକ୍କା, ୮ ମୃତ

ମହାରାଷ୍ଟ୍ରର ନାସିକ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନାସିକର ଦ୍ବାରକା ଫ୍ଲାଏଓଭରରେ ଏକ ଟ୍ରକ୍ ପଛରେ ଅଟୋ ପିଟି ହେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଟ୍ରକରେ ଲୁହା ଭର୍ତ୍ତି ହୋଇଥିବା ଜଣାପଡିଛି ।

ଖବର ମୁତାବକ, ରବିବାର ରାତିରେ ନାସିକ ସହରର ଏକ ବ୍ରିଜ ଉପରେ ଏକ ଲୁହା ରଡ଼ ବୋଝେଇ ଟ୍ରକ୍ ଯାଉଥିବା ବେଳେ ପ୍ରାୟ ୧୦ ରୁ ଅଧିକ ଯାତ୍ରୀଙ୍କୁ ଧରି ଏକ ଅଟୋ ଯାଉଥିଲା । ଅଟୋରେ ଥିବା ଯାତ୍ରୀମାନେ ଅୟପ୍ପା ମନ୍ଦିରରୁ ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଫେରୁଥିଲେ । ଉକ୍ତ ସମୟରେ ଅଟୋଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଟ୍ରକ୍‌ରେ ପିଟି ହୋଇ ଯାଇଥିଲା ।

ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ପହଞ୍ଚି ଅନ୍ୟ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ମେଡିକାଲରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୪ ଜଣ ଏବେ ଚିକିତ୍ସିତ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

ଏହି ଦୁର୍ଘଟଣା ପରେ ମୁମ୍ବାଇ- ନାସିକ ଜାତୀୟ ରାଜପଥ ପ୍ରାୟ ୫ କିମି ପର୍ଯ୍ୟନ୍ତ ଜାମ ହୋଇଯାଇଥିଲା । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ପୋୖଡ଼ି ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସିପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକତ୍ସା ପାଇଁ ନିକଟସ୍ଥ ଡାକ୍ତଖାନରେ ଭର୍ତ୍ତି କରାଯାଇଛି ।  ବସ୍‌ଟି ରବିବାର ପୋୖଡ଼ିରୁ ଦେହଲଚୌରି ଅଭିମୁଖେ ଯାତ୍ରା କରୁଥିଲା । ଗତକାଲି  ଅପରାହ୍ନ ପ୍ରାୟ ୪ ଟା ସମୟରେ ସତ୍ୟଖାଲ ନିକଟରେ, ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ୱ ୧୦୦ ମିଟର ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।

You might also like