ନିର୍ବାଚନ ପୂର୍ବରୁ ସ୍ବାଧୀନ ପ୍ରାର୍ଥୀ ସୁରେଶ ସୋନବଣେଙ୍କ କାରକୁ ପଥର ମାଡ଼, ଫାଟିଲା ମୁଣ୍ଡ
ମହାରାଷ୍ଟ୍ର ନିର୍ବାଚନ ପାଖେଇ ଆସୁଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ସୁରେଶ ସୋନବଣେଙ୍କ କାରକୁ ପଥର ମାଡ଼ ହୋଇଛି । ଫଳରେ ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ପୋଲିସ ନିକଟରେ ଅଭିଯୋଗ ହେବା ପରେ ଦୋଷୀଙ୍କୁ ଧରିବା ପାଇଁ ପୋଲିସ ୩ଟି ଟିମ୍ ଗଠନ କରିଛି । ଘଟଣା ଗତକାଲି ସନ୍ଧ୍ୟା ୭.୩୦ ମିନିଟରେ ଘଟିଛି ।
ଖବର ମୁତାବକ, ଛତ୍ରପତି ସମ୍ଭାଜୀନଗରର ଗଙ୍ଗାପୁର ବିଧାନସଭା ଅଞ୍ଚଳରେ ସ୍ବାଧୀନ ପ୍ରାର୍ଥୀ ସୁରେଶ ସୋନବଣେଙ୍କ କାରକୁ ପଥରମାଡ଼ ହୋଇଥିଲା । ସନ୍ଧ୍ୟା ୭.୩୦ ମିନିଟରେ ବାଲୁଜ ଥାନା ଅନ୍ତର୍ଗତ ଲାଞ୍ଜି ଗାଁ ପାଖରେ ସୋନବଣେଙ୍କ କାରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର ଫୋପାଡିଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ସେହିପରି ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନସିପି(ଶରଦ ଚନ୍ଦ୍ର ପାୱାର) ଦଳର ନେତା ଅନୀଲ ଦେଶମୁଖ ଉପରେ ପଥର ମାଡ଼ ହୋଇଥିଲା । ସେ କାରରେ ଯାଉଥିବା ବେଳେ ନାଗପୁର ଠାରେ ତାଙ୍କୁ ପଥର ମାଡ଼ କରାଯାଇଥିଲା । ଏଥିରେ କାରର କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଶ୍ରୀ ଦେଶମୁଖଙ୍କ ମୁଣ୍ଡ ଫାଟି ଯାଇଥିଲା । ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନୀଲ ଦେଶମୁଖ ପୁଅ ସଲିଲ ଦେଶମୁଖଙ୍କ ପାଇଁ ପ୍ରଚାର କରିବାକୁ ନରଖେଡ ଯାଇଥିଲେ । ସେଠାରୁ ଜୋରଦାର ପ୍ରଚାର କରିବା ପରେ ଅନୀଲ କାର ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ଆକ୍ରମଣ ହୋଇଥିଲା ।