ମହାରାଷ୍ଟ୍ରରେ ଘନେଇଲା ରାଜନୈତିକ ସଂକଟ. ସରକାର କରିବାକୁ ବିଜେପି ଆଶାବାଦୀ

ନୂଆଦିଲ୍ଲୀ : ଶିବସେନା ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ସଂକଟ। ଉଦ୍ଧବଙ୍କ ନେତୃତ୍ୱରେ ଗଠିତ ମହାବିକାଶ ଅଘାଡ଼ି ସରକାରରେ ସୃଷ୍ଟି ହୋଇଛି ସଙ୍କଟ। ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଶିବସେନାର ୨୦ ବିଧାୟକଙ୍କ ପତ୍ତା ମିଳୁନି । ନିଜ ସମର୍ଥକ ବିଧାୟକଙ୍କ ସହ ଏକନାଥ ସିନ୍ଦେ ଗୁଜରାଟ ସୁରତର ଏକ ହୋଟେଲରେ ଥିବା କୁହାଯାଉଛି। ବିଦ୍ରୋହ ପରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଛି ଶିବସେନା ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଶିବସେନା ଓ ସହଯୋଗୀ ଦଳର ୫୬ ବିଧାୟକ ଥିବା ବେଳେ ଏନସିପିର ୫୩, କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି । ସେହିପରି ଏନଡିଏ ମେଣ୍ଟର ୧୧୩ ବିଧାୟକ ଅଛନ୍ତି । ଅନ୍ୟାନ୍ୟ ଦଳର ଅଛନ୍ତି ୧୦ ଜଣ ବିଧାୟକ । ଜଣେ ବିଧାୟକଙ୍କ ମୃତ୍ୟୁ ହୋଇଛି । ଯଦି ମହା ବିକାଶ ଅଘାଡ଼ି ସରକାରର ପତ୍ତନ ହୁଏ ତେବେ ନୂଆ ସରକାର ଗଠନ ପାଇଁ ଏବେ କୌଣସି ଦଳକୁ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।

ଶିବସେନା ବିଧାୟକ ବିଦ୍ରୋହକୁ ଓହ୍ଲାଇବା ପରେ ସରକାର ଗଠନ ନେଇ ବିଜେପି ଆଶାବାଦୀ ହୋଇପଡ଼ିଛି । ରାଜନୈତିକ ସ୍ଥିତି ଉପରେ ନଜର ରଖିଛି ବିଜେପି। ଠିକ୍ ସମୟରେ ଏକନାଥ ସିନ୍ଦେ ସଠିକ ନିର୍ଣ୍ଣୟ ନେଇଥିବା କହିଛନ୍ତି ବିଜେପି ନେତା ନାରାୟଣ ରାଣେ। ଆବଶ୍ୟକ ପଡ଼ିଲେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପି ଦାବି କରିପାରେ ବୋଲି କହିଛନ୍ତି ପ୍ରବୀଣ ଦରେକର।

ମହାରାଷ୍ଟ୍ରବାସୀଙ୍କ ଅଧିକାର ପାଇଁ ବିଜେପି ସମସ୍ତ ପ୍ରୟାସ କରିବ ସେ କହିଛନ୍ତି। ସେପଟେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଏକନାଥ ସିନ୍ଦେ ଶିବସେନାର ଜଣେ ବିଶ୍ୱସ୍ତ ନେତା। ସୁରତର ହୋଟେଲରେ ୨୦ଶିବସେନା ବିଧାୟକ ଥିବା ଜଣାପଡ଼ିଛି। ଦଳର ସମସ୍ତ ବିଧାୟକ ଖୁବ ଶୀଘ୍ର ଫେରିଆସିବେ। ବିଜେପି ମହାରା୍ଷ୍ଟ୍ର ସରକାରରେ ଅସ୍ଥିରତା ସୃଷ୍ଟି କରୁଥିବା ସେ କହିଛନ୍ତି।

ଶିବସେନାରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ସତ୍ତ୍ୱେ ମହାରାଷ୍ଟ୍ରରେ ସୁରୁଖୁରୁରେ ଚାଲିବ ଉଦ୍ଧବ ସରକାର। ଶିବସେନା ନେତୃତ୍ୱାଧୀନ ମହାବିକାଶ ଆଘାଡ଼ି ସରକାର ପ୍ରତି କୌଣସି ବିପଦ ନଥିବା କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ତାଙ୍କର ପୁରା ବିଶ୍ୱାସ ରହିଛି। ସଙ୍କଟର ସମାଧାନ ପାଇଁ ସେ କୌଣସି ବାଟ ବାହାର କରିବେ।

ସରକାରକୁ ଭାଙ୍ଗିବାକୁ ଉଦ୍ୟମ ହୋଇଛି। ତୃତୀୟ ଥର ପାଇଁ ଏଭଳି ଘଟଣା ଘଟିଛି ବୋଲି ସେ କହିଛନ୍ତି। ଏନସିପିର କୌଣସି ବିଧାୟକ କୁଆଡ଼େ ଯାଇନାହାନ୍ତି। ଏକନାଥ ସିନ୍ଦେଙ୍କ ସହ ସେ କଥା ହୋଇ ନାହାନ୍ତି। ଏକନାଥ ସିନ୍ଦେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆକାଂକ୍ଷା ରଖିଥିବା କେବେ କହି ନାହାନ୍ତି ବୋଲି ସୂଚନା ଦେଇଛନ୍ତି ଶରଦ ପାୱାର। ଉଦ୍ଧବ ଠାକରେ ସମସ୍ୟାର ସମାଧାନ କରିନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.