ଭାରତ ଉପହାର ଦେଇଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଅନାବରଣର କିଛି ଘଣ୍ଟା ଭିତରେ ବେକ କାଟି ଦେଲେ ଦୁର୍ବୃତ୍ତ; ନିନ୍ଦା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଭାରତ ସରକାରଙ୍କ ଦ୍ୱାରା ଉପହାରରେ ଦିଆ ଯାଇଥିବା ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣ କାଂସ୍ୟ ପ୍ରତିମୂର୍ତ୍ତିକୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଭଙ୍ଗାରୁଜା କରାଯାଇଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେହିପରି ଏହି ଘଟଣାକୁ ନେଇ ପୂରା ମେଲବର୍ଣ୍ଣରେ ଭାରତୀୟ ଓ ଅଷ୍ଟ୍ରେଲିଆ ସମୁଦାୟ ନିରାଶ ବ୍ୟକ୍ତ କରିଛନ୍ତି। ଖବର ମୁତାବକ, ପିଏମ୍‌ ମରିସନ ମେଲବର୍ଣ୍ଣର ରବିଲରେ ଅଷ୍ଟ୍ରେଲିଆ ଭାରତ ସାମୁଦାୟିକ କେନ୍ଦ୍ରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ, ଯାହାର କିଛି ହିଁ ଘଣ୍ଟା ପରେ ଏହି ଘଟଣା ଘଟିଥିଲା। ଏହି ପ୍ରତିମାର ଅନାବରଣ ଭାରତ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କରାଯାଇଥିଲା।

ପିଏମ୍‌ ମରିସନ କହିଥିଲେ, ଏହି ସ୍ତରରେ ଅନାଦାର ଦେଖିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ନୈରାଶ୍ୟଜନକ। ଦେଶରେ ସାଂସ୍କୃତିକ ସ୍କାରକଗୁଡ଼ିକ ଉପରେ ଆକ୍ରମଣ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ଯିଏ ବି ଦାୟୀ, ସେ ଅଷ୍ଟ୍ରେଲିଆ ଭାରତୀୟ ସମୁଦାୟର ବହୁତ ଅପମାନ କରିଛନ୍ତି ଏବଂ ତାଙ୍କୁ ଲଜ୍ଜା ଲାଗିବା ଦରକାର। ଏହି ପ୍ରତିମାକୁ ଭାରତ ସରକାର ଆମକୁ ଉପହାର ଦେଇଥିଲେ।

ଏ ନେଇ ଭିକ୍ଟୋରିଆ ପୋଲିସ କହିଛି ଯେ କେହି ଅଜଣା ଦୁର୍ବୃତ୍ତ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ରୁ ଶନିବାର ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ପ୍ରତିମୂର୍ତ୍ତି ବେକ କାଟିବା ପାଇଁ ବିଜୁଳି ଉପକରଣ ବ୍ୟବହାର କରିଛନ୍ତି। ପୋଲିସର କହିବା ହେଲା, Knox Crime Investigation Unit ଘଟଣାର ତଦନ୍ତ କରୁଛି ଏବଂ ସାକ୍ଷୀ ତୁରନ୍ତ ସାମ୍ନାକୁ ଆସି ଘଟଣା ବିଷୟରେ ସୂଚନା ଦେଉ ବୋଲି ଟିମ୍‌ ଅପିଲ କରିଛି। ସେପଟେ ସହରରେ ରହୁଥିବା ଭାରତୀୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଏହା ନିମ୍ନ ସ୍ତରର କାର୍ଯ୍ୟ ବୋଲି କହିଛନ୍ତି।

ଅନାବରଣର ୨୪ ଘଣ୍ଟା ଭିତରେ ହେଲା ଆକ୍ରମଣ

Roville Center ଭିକ୍ଟୋରିଆ ରାଜ୍ୟରେ ପ୍ରଥମ ଭାରତୀୟ ସାମୁଦାୟିକ କେନ୍ଦ୍ର ଏବଂ ୩୦ ବର୍ଷର ପ୍ରୟାସ ପରେ ଏହାକୁ ସ୍ଥାପିତ କରାଯାଇଛି। ଅଷ୍ଟ୍ରେଲିଆ ଇଣ୍ଡିଆ କମ୍ୟୁନିଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ବାସନ ଶ୍ରୀନିବାସନ କହିଛନ୍ତି, ଏହି ଘଟଣାକୁ ନେଇ ସେ ଦୁଃଖିତ ଯେ କେହି ଜଣେ ପ୍ରତିମୂର୍ତ୍ତି ଅନାବରଣର ୨୪ ଘଣ୍ଟା ଭିତରେ ଏହାକୁ ଭାଙ୍ଗି ଦେବାକୁ ଚେଷ୍ଟା କରିଛି।

ଭିକ୍ଟୋରିଆରେ ରହୁଛନ୍ତି ପାଖାପାଖି ୩ ଲକ୍ଷ ଭାରତୀୟ

ଶ୍ରୀନିବାସନ କହିଥିଲେ, ଭିକ୍ଟୋରିଆ ରାଜ୍ୟରେ ପାଖାପାଖି ୩,୦୦,୦୦୦ ଭାରତୀୟ ରହୁଛନ୍ତି। ମୁଁ କେବେ ବି ଭାବି ନ ଥିଲି କି, ଭିକ୍ଟୋରିଆରେ ଏମିତି ଏକ ଘଟଣା ଘଟିବ। ଦିନସାରା ପ୍ରବଳ ବର୍ଷା କାରଣରୁ ପୋଲିସକୁ ଆଙ୍ଗୁଳି ଚିହ୍ନ ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.