ମହାରାଷ୍ଟ୍ରରେ ୨୨୭ ଆସନ ମହାୟୁତ୍ତିର ବୃହତ ବିଜୟ, ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟକୁ ୫୬ ସିଟ୍ ରେ ବଡ ବିଜୟ, ପ୍ରଧାନମନ୍ତ୍ରୀଙ୍କ ଦଳୀୟକର୍ମୀଙ୍କୁ ସମ୍ବୋଧନ
ଚକିତ କଲା ମହାରାଷ୍ଟ୍ର ନିର୍ବାଚନ ଫଳାଫଳ। ମହାୟୁତ୍ତିର ବୃହତ ବିଜୟ। ମହାୟୁତ୍ତି ୨୨୭ ଆସନ ହାତେଇ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ନିରାଶ ହୋଇଛି ମହାବିକାଶ ଆଘାଡ଼ି । ଏମଭିଏ ମାତ୍ର ୪୮ ଆସନରେ ବିଜୟୀ ହୋଇଛି। ପାଞ୍ଚମାସ ତଳେ ଲୋକସଭା ନିର୍ବାଚନ ପରେ ସଂପୂର୍ଣ୍ଣ ବଦଳିଛି ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ। ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ମନ୍ତ୍ରୀ ଶାହ ଓ ବିଜେପିର ହେଭିୱେଟଙ୍କ ମାରାଥନ କ୍ୟାମ୍ପେନ ଦେଇଛି ଲ୍ୟାଣ୍ଡସାଇଡ ଭିକ୍ଟ୍ରି।
ଏମଭିଏରେ ସିଟ ବଣ୍ଟନ ନେଇ ଛକାପଞ୍ଝା, ସମନ୍ବୟର ଅଭାବ ନୈରାଶ୍ୟଜନକ ଫଳାଫଳ ଦେଇଛି। କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଛି । ଏକୁଟିଆ ବିଜେପିକୁ ୧୩୦ସିଟ, ଶିବସେନା ସିନ୍ଦେକୁ ୫୫ ଓ ଏନସିପି ଅଜିତ ପାୱାରକୁ ୪୧ ଆସନ । ଜନାଦେଶ ପରେ ଜୋରଦାର ସେଲିବ୍ରେସନ । ଏକକ ବୃହତ ଦଳ ଭାବେ ବିଜୟୀ ହେବା ସହ ମହାରାଷ୍ଟ୍ରରେ ଲଗାତାର ୩ଥର ସରକାର ଗଠନ କରିବାକୁ ଯାଉଛି ବିଜେପି ମେଣ୍ଟ।
ଝାଡ଼ଖଣ୍ଡରେ ଭୁଲ ପ୍ରମାଣିତ ହେଲା ଏଗଜିଟ ପୋଲ୍। ଇଣ୍ଡିଆ ମେଣ୍ଟକୁ ବଡ଼ ବିଜୟ। ୫୬ ସିଟ୍ ରେ ବିଜୟୀ ହୋଇଛି ମେଣ୍ଟ। ମ୍ୟାଜିକ ନମ୍ବର ଠାରୁ ବହୁ ଆଗରେ। ପୁଣି କ୍ଷମତାକୁ ଫେରିବେ ହେମନ୍ତ ସୋରେନ। ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫେଲ୍ ମାରିଛି ବିଜେପିର ଆକ୍ରମଣାତ୍ମକ କ୍ୟାମ୍ପେନ। ୨୧ ସିଟରେ ସୀମିତ ରହିଛି ଦଳ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ମହିଳା ଓ ଆଦିବାସୀ ଭୋଟର ଅଜାଡ଼ି ଦେଇଛନ୍ତି ସମର୍ଥନ। ଆଦିବାସୀ ସିଟ୍ ରେ କ୍ଲିନ୍ ସୁଇପ୍ କରିଛି ଇଣ୍ଡିଆ ମେଣ୍ଟ।
ମହାରାଷ୍ଟ୍ରରେ ମହା ବିଜୟକୁ ନେଇ ବିଜେପି ମୁଖ୍ୟାଳୟରେ ଦଳୀୟକର୍ମୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ରରେ ପ୍ରଚଣ୍ଡ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମହାୟୁତୀକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମହାବିଜୟର ଉତ୍ସବ। ମହାରାଷ୍ଟ୍ରରେ ଆଜି ସୁଶାସନର ବିଜୟ ହୋଇଛି ଏବଂ ବିଭାଜନକାରୀ ନୀତିର ପରାଜୟ ହୋଇଛି। ମହାରାଷ୍ଟ୍ରର ବିଜୟ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ମିଥ୍ୟା, ପ୍ରତାରଣାର ପରାଜୟ ହୋଇଛି। ଏକ ହୈ ତୋ ସେଫ ହୈ ଏବେ ଦେଶର ମହା ମନ୍ତ୍ର ପାଲଟିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳୀୟକର୍ମୀଙ୍କୁ ସମ୍ବୋଧନ କରିଥିଲେ।