ରାସ୍ତାରେ ଚାଲିଲେ ସ୍ୱୟଂ ଯମରାଜ । ଆଉ ଏ ଦୃଶ୍ୟ ଯିଏ ଦେଖିଲେ ସେ ଭୟର ଥରହର । ରାସ୍ତାରେ ପୁଣି ଯମରାଜ! ଏକଥା ଶୁଣି ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ଆମେ କହୁଥିବା ଏ କଥାର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ । ହଁ ଆଜ୍ଞା ନୋଏଡାର ସେକ୍ଟର-୧୬ ସ୍ଥିତ କାର ବଜାରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଚ ରାସ୍ତାରେ ଏକ ମହିନ୍ଦ୍ରା ଥାର୍ ସାଜିଥିଲା ଯମରାଜ । ରାସ୍ତା ଘାଟ କିଛି ମାନିଲାନି ଯାହାକୁ ପାରିଲା ଧକ୍କା ଦେଇ ଚାଲିଲା । ସୌଭାଗ୍ୟ ବଶତଃ ଏହି କାର ସାମ୍ନାରେ କୌଣସି ମଣିଷ ପଡିନଥିଲେ । ନଚେତ ତାଙ୍କ ସହ କ’ଣ ଯେ ଘଟିଥାନ୍ତା ତାହା କହିବା ମୁସ୍କିଲ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ….
ନୋଏଡାର ସେକ୍ଟର-୧୬ରେ ଏକ ମହିନ୍ଦ୍ରା ଥାର୍ ଗାଡିର ଡ୍ରାଇଭର ଦ୍ରୁତ ଗତିରେ ରଙ୍ଗ୍ ରୁଟରେ ଗାଡ଼ି ଚଲାଉଥିବାର ଦେଖିବାକୁ ମିଳିଛି । ଆଉ ଏହି ଗାଡି ସାମ୍ନାରେ ଯାହା ପଡିଥିଲା ତାକୁ ଧକ୍କା ଦେଇ ଚାଲିଥିଲା ଡ୍ରାଇଭର । ଏଭଳି ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ରାସ୍ତାରେ ଛିଡା ହୋଇଥିବା ଅନେକ ବାଇକ୍ ଏବଂ ସ୍କୁଟରକୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା ଡ୍ରାଇଭର । ପ୍ରଥମେ ତ ଅସାବଧାନତାର ସହ ଭୁଲ ପାର୍ଶ୍ୱରେ ଗାଡ଼ି ଚାଳନା କରିଥିଲା ।
ଆଉ ଏହି ସମୟରେ ପାର୍କିଂ ହୋଇଥିବା ଅନେକ ବାଇକ୍ ଏବଂ ସ୍କୁଟରକୁ ପ୍ରବଳ ଜୋରରେ ଧକ୍କା ମଧ୍ୟ ଦେଇଥିଲେ । ଯାହାଦ୍ୱାରା ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେବେ ଏହି ଭିଡିଓଟି ଦୁଇ ଦିନ ପୁରୁଣା ବୋଲି କୁହାଯାଉଛି ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅନ୍ୟପଟେ ଭିଡିଓ ଆଧାରରେ, ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର ଗଭୀର ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲା ।
ଅନେକ ସମୟର ତଦନ୍ତ ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଡ୍ରାଇଭର ଦିଲ୍ଲୀର ଆୟା ନଗରର ବାସିନ୍ଦା ସଚିନ ଲୋହିଆ ବୋଲି ଜଣାପଡିଛି । ତେବେ ଏହି ଅଭିଯୁକ୍ତ ଡ୍ରାଇଭର ଜଣକ ସେଠାକୁ ନିଜ ଗାଡ଼ିରେ ଏକ ସ୍ପିକର ଲଗାଇବାକୁ ଆସିଥିଲେ । ଯାହାପରେ କୌଣସି କାରଣ ଯୋଗୁଁ ଉଭୟ ଦୋକାନୀ ଏବଂ ଡ୍ରାଇଭରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଯୁକ୍ତିତର୍କ ପରେ ଡ୍ରାଇଭର ଦୋକାନୀକୁ ଚାପୁଡ଼ା ମାରିଥିଲା ଯାହାର ସିସିଟିଭି ଫୁଟେଜ ମଧ୍ୟ ଅଛି ।
ଏହି ସମୟରେ, ନିକଟବର୍ତ୍ତୀ ଅଞ୍ଚଳର ଅନ୍ୟ ଦୋକାନୀମାନେ ସେଠାରେ ପହଞ୍ଚିଯାଇଥିଲେ । ଯାହା ଦେଖି ଅଭିଯୁକ୍ତ ସଚିନ ଦୋକାନରୁ ବାହାରକୁ ଦୌଡ଼ି ପଳାଇଆସିଥିଲା ଏବଂ ରାସ୍ତାରେ ଏଭଳି ତାଣ୍ଡବ ରଚିଥିଲା । ଅନ୍ୟପଟେ ଏହି ଥାର ପାଇଁ ୩୮, ୫୦୦ ଟଙ୍କାର ଚାଲାଣ ମଧ୍ୟ ଜାରି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟ ବେଶ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକେ କହିଛନ୍ତି ଏପରି ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା ରାସ୍ତାରେ ଲୋକଙ୍କ ଜୀବନକୁ ବିପଦରେ ପକାଇଛି ଯେଉଁଥିପାଇଁ ସେଠାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଏପରି ଭିଡିଓ ପ୍ରାୟତଃ କେବଳ ନୋଏଡାରୁ ନୁହେଁ ବରଂ ଭାରତର ବିଭିନ୍ନ ସହରରୁ ସାମ୍ନାକୁ ଆସିଥାଏ ।
Also read: ଟ୍ରମ୍ପ କିଣିଲେ ନାଲି ରଙ୍ଗର ଟେସଲା କାର୍, ମସ୍କଙ୍କ ସହିତ ନିଜେ ଗାଡ଼ି ଚଲାଇ କଲେ ପ୍ରଶଂସା