ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ସାମ୍ବାଦିକଙ୍କ କଲିଜା ହୋଇଥିଲା ୪ ଖଣ୍ଡ, ଫାଟିଥିଲା ଛାତି
ଛତିଶଗଡ ବିଜାପୁରରେ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ବୀଭତ୍ସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ଏସଆଇଟି ହାଇଦ୍ରାବାଦରେ ଗିରଫ କରିଛି । ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଗିରଫ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ନେଇ ବିଜାପୁର ପହଞ୍ଚିଛି । ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି ।
ପୋଲିସ କହିବା ମୁତାବକ, ମୁକେଶ ଚନ୍ଦ୍ରକାରଙ୍କୁ ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରଙ୍କୁ ଗିରଫ ହୋଇଛି । ରବିବାର ବିଳମ୍ବିତ ରାତିରେ ହାଇଦ୍ରାବାଦରୁ ଏସ୍ଆଇଟି ତାଙ୍କୁ ଗିରଫ କରିଛି । ଗିରଫ ପରେ ପୋଲିସ ସୁରେଶ ଚନ୍ଦ୍ରକାରଙ୍କୁ ବିଜାପୁରକୁ ନେଇଛି । ଏଠାରେ ତାଙ୍କୁ ପଚରାଉଚରା କରାଯିବ । ସାମ୍ବାଦିକଙ୍କ ହତ୍ୟା ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା।
ଏହି ମାମଲାରେ ପୂର୍ବରୁ ସୁରେଶ ଚନ୍ଦ୍ରାକରଙ୍କ ସମ୍ପର୍କୀୟ ଭାଇ ରିତେଶ ଚନ୍ଦ୍ରାକର ଏବଂ ଦୀନେଶ ଚନ୍ଦ୍ରାକର ଏବଂ ସୁପରଭାଇଜର ମହେନ୍ଦ୍ର ରାମଟେକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଯୁବ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ଜାନୁଆରୀ ୧ରୁ ନିଖୋଜ ହୋଇଯାଇଥିଲେ । ଏହାପରେ ବହୁ ଖୋଜାଖୋଜି ପରେ ଜାନୁୟାରୀ ୩ରେ ତାଙ୍କ ମୃତଦେହ ବିଜାପୁର ସହରର ଚୈତନ୍ୟ କଲୋନୀରେ ଥିବା କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରାକରଙ୍କ ସେପ୍ଟିକ୍ ଟ୍ୟାଙ୍କରୁ ମିଳିଥିଲା । ମୃତଦେହର ଅବସ୍ଥା ବହୁତ ଖରାପ ଥିଲା । କେବଳ ଡ୍ରେସରୁ ଏହା ମୁକେଶ ଚନ୍ଦ୍ରାକରଙ୍କ ମୃତଦେହ ବୋଲି ଜଣାପଡିଥିଲା ।
ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ କ୍ରୁରତାର ସବୁ ସୀମା ଟପିଥିଲା ଅଭିଯୁକ୍ତ । ମୁକେଶ ଚନ୍ଦ୍ରାକର ମୁଣ୍ଡରେ ଲାଗିଥିବା ୧୫ ଆଘାତ, ୪ ଖଣ୍ଡ ହୋଇଥିଲା କଲିଜା, ଫାଟିଥିଲା ଛାତି ଆଉ ବେକ ହାଡ଼ ବି ଭାଙ୍ଗି ଚୁରମାର ହୋଇଥିଲା । ଛତିଶଗଡ଼ର ବିଜାପୁରରେ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ କରାଯାଇଥିଲା ଏଭଳି କିଛି ବୀଭତ୍ସ ହତ୍ୟା ।
ମୁକେଶ ଚନ୍ଦ୍ରାକରଙ୍କ ମୃତଦେହର ଯେଉଁ ଡାକ୍ତର ବ୍ୟବଚ୍ଛେଦ କରିଥିଲେ, ସେ ତାଙ୍କ ୧୨ ବର୍ଷର କ୍ୟାରିଅରରେ ସେ ଏପରି ନିର୍ଦ୍ଦୟ ଭାବରେ ହତ୍ୟା କରାଯିବା ଘଟଣା କେବେ ଦେଖି ନାହାନ୍ତି । ସାମ୍ବାଦିକଙ୍କୁ ଦୁଇ କିମ୍ବା ତା’ଠାରୁ ଅଧିକ ଆକ୍ରମଣକାରୀ ହତ୍ୟା କରିଥିବା ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ବସ୍ତର ଅଞ୍ଚଳରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ ସାମ୍ବାଦିକ ମୁକେଶ । ଏହି ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା । ପରେ ଏହା ବଢ଼ି ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା । କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତଥା ଏହାର ମାନ ଓ ଲମ୍ବ କିମ୍ବା ଓସାରରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ୧୨୦ କୋଟି ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ । ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ଅନୁମାନ କରୁଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।