କୋଲକତା ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଦୋଷ ସ୍ବୀକାର କଲା ଅଭିଯୁକ୍ତ

କୋଲକତା: କୋଲକତା ସରକାରୀ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷ ସ୍ବୀକାର କଲା ଅଭିଯୁକ୍ତ । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି  । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତର ମୋବାଇଲ ଫୋନ ଜବତ କରିଛି ପୋଲିସ । ଯେଉଁଥିରୁ ଅଶ୍ଲୀଳ ଭିଡିଓ ମିଳିଥିବା ସୂଚନା ମିଳିଛି ।

ତଦନ୍ତ ବେଳେ ପୋଲିସ ମେଡିକାଲ କଲେଜର ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଏଥିରେ ଭୋର ୪ଟା ସମୟରେ ସେ ହସ୍ପିଟାଲରୁ ବାହାରୁ ଥିବାର ଭିଡିଓ ଦେଖିବାକୁ ମିଳିଛି । ଏହି ସମୟରେ ତା କାନରେ ଇୟର ଫୋନ ଲାଗିଥିଲା । କିନ୍ତୁ ହଲରୁ ବାହାରକୁ ଆସିବା କାନରେ ଇୟର ଫୋନ ନଥିଲା । ଏହି ଘଟଣାକୁ ନେଇ ସଞ୍ଜୟ ସମେତ କିଛି ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ଡାକିଥିଲା ପୋଲିସ ।

ତେବେ ଯାଞ୍ଚ ସମୟରେ ମିଳିଥିବା ଇୟର ଫୋନ ସଞ୍ଜୟର ଜଣାପଡ଼ିବା ପରେ ଦୋଷ ସ୍ବୀକାର କରିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ। ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ ବିଏନଏସ ଧାରା ଲାଗୁ ହୋଇଛି । ଦୁଷ୍କର୍ମ ପାଇଁ ଧାରା-୬୪ ଏବଂ ହତ୍ୟା ପାଇଁ ଧାରା-୧୦୩ରେ ମାମଲା ରୁଜୁ ହୋଇଛି । ସେପଟେ ଘଟଣାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି । ଏହି ଘଟଣା ପରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଅନ୍ୟପଟେ ଘଟଣାକୁ ନେଇ ମେଡିକାଲ କଲେଜ ଛାତ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.