ଟ୍ରେନ ଦୁର୍ଘଟଣାରେ ୨ ଗୋଡ ଏବଂ ଗୋଟେ ହାତ ହରାଇବା ପରେ ମଧ୍ୟ UPSC ପରୀକ୍ଷା ପାସ୍‌ କରିଛନ୍ତି ସୂରଜ

ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ବଳରେ ୟୁପିଏସସି ପାସ୍‌ କରିଛନ୍ତି ସୂରଜ । ଟ୍ରେନ ଦୁର୍ଘଟଣାରେ ୨ ଗୋଡ ଏବଂ ଗୋଟେ ହାତ ହରାଇବା ପରେ ମଧ୍ୟ ତିନି ଆଙ୍ଗୁଠିରେ ଲେଖି ଏହି ସଫଳତା ପାଇଛନ୍ତି ।

ଟ୍ରେନ୍‌ ଦୁର୍ଘଟଣାରେ ଦୁଇ ଗୋଡ଼ ଓ ଗୋଟିଏ ହାତ ହରାଇ ମଧ୍ୟ ୟୁପିଏସସିରେ ସଫଳତା ପାଇଁ ସୂରଜ ତିଓ୍ଵାରୀ । ଜୀବନ ଯୁଦ୍ଧରେ ହାର ମାନି ନଥିଲେ ସୂରଜ । ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତିନି ଆଙ୍ଗୁଠିରେ ଲେଖି ୟୁପିଏସ୍‌ସି ପାସ୍‌ କରିଛନ୍ତି ଉତ୍ତରପ୍ରଦେଶ ମୈନପୁରୀ ଦିବ୍ୟାଙ୍ଗ ସୂରଜ ତିଓ୍ଵାରୀ । ୯୧୭ତମ ସ୍ଥାନ ହାସଲ କରିଛନ୍ତି ।

ପ୍ରଥମ ପ୍ରଚେଷ୍ଠାରେ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ସୂରଜ । ୨୦୧୭ରେ ଗାଜିଆବାଦରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ଦୁଇ ଗୋଡ଼, ଡାହାଣ ହାତ ସହ ବାମ ହାତର ଦୁଇଟି ଆଙ୍ଗୁଠି ହରାଇଥିଲେ । ୪ ମାସ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେବା ପରର କିଛିଦିନ ପରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସୂରଜଙ୍କ ପରିବାରରେ ଦୁଃଖର ପାହାଡ ଖସି ପଡିଥିଲା । କିନ୍ତୁ ସୂରଜ କେବେ ବି ହାର ମାନିନଥିଲେ । ଦୃଢ ମନୋବଳ ଯୋଗୁଁ ନିଜର ଲକ୍ଷ୍ୟ ହାସଲ କରିଥିଲେ ।

ୟୁପିଏସସି ପରୀକ୍ଷାରେ ସଫଳତା ପାଇଁ ସୂରଜ ଦିନକୁ ୧୮ରୁ ୨୦ ଘଣ୍ଟା ପଢୁଥିଲେ । ବିନା କୌଣସି କୋଚିଂ ଏବଂ ଏକ୍ସଟ୍ରା କ୍ଲାସ୍‌ ନ କରି ମଧ୍ୟ ସୂରଜ ଏଭଳି ସଫଳତା ହାସଲ କରିଛନ୍ତି ।

ସୂରଜଙ୍କ ସଫଳତାରେ ତାଙ୍କ ପରିବାରରେ ଖୁସିର ଲହରି । ତାଙ୍କ ବାପା ମାଆ କହିଛନ୍ତି, ପୁଅ ତାଙ୍କର ଭାରି ସାହାସୀ । ପୁଅ ଆଜି ସେମାନଙ୍କୁ ଗର୍ବିତ କରିଛି । ସୂରଜଙ୍କ ବାପା ପେଶାରେ ଜଣେ ଦରଜୀ ।

ସୂରଜଙ୍କ ସଫଳତରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଟ୍ଵିଟ୍‌ କରି କହିଛନ୍ତି, ଦିବ୍ୟାଙ୍ଗ ସୂରଜ ଆଇଏଏସ ପରୀକ୍ଷାରେ ପାସ୍‌ କରି ନିଜର ଶକ୍ତି ଏବଂ ଲକ୍ଷ୍ୟକୁ ହାସଲ କରିଛନ୍ତି । ସୂର୍ଯ୍ୟ ଭଳି ଚମକୁଥିବା ସୂରଜଙ୍କୁ ଅନେକ ଶୁଭେଚ୍ଛା ଏବଂ ଭବିଷ୍ୟ ପାଇଁ ଅନେକ ଶୁଭକାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.