କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରେ ହମଲା, ୪ ସହିଦ

କାଶ୍ମୀରରେ ବଢ଼ୁଛି ଆତଙ୍କୀ ହମଲା । ଡୋଡାରେ ୪ ସୁରକ୍ଷାକର୍ମୀ ସହିଦ । ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ଜଣେ ଆର୍ମୀ ଅଫିସର ଓ ୩ ଯବାନ। ଗତକାଲି ରାତିରେ ଡୋଡା ସହରଠାରୁ ୫୫ କିଲୋମିଟର ଦୂର ଦେସା ଜଙ୍ଗଲ ଇଲାକାରେ ସ୍ପେସାଲ ଅପରେସନ ଗ୍ରୁପ ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ କର୍ଡନ ଓ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ ପ୍ରଥମେ ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ । ୨୦ ମିନିଟ ଧରି ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା ।

ଏଥିରେ ଜଣେ ଆର୍ମୀ ଅଫିସର ଓ ୩ ଜଣ ଯବାନ ସହିଦ ହୋଇଛନ୍ତି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ କାଶ୍ମୀର ଟାଇଗର୍ସ । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ- ମହମ୍ମଦର ଏକ ସହଯୋଗୀ ସଂଗଠନ କାଶ୍ମୀର ଟାଇଗର୍ସ । ଏହି ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଂକା କରାଯାଉଛି । ହମଲା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ୩୪ ଦିନରେ ଡୋଡାରେ ୫ଥର ଏନକାଉଣ୍ଟର ହୋଇଛି । ଅନ୍ୟପଟେ ଆତଙ୍କୀ ହମଲାରେ ଗତ ୩୨ ମାସରେ ୪୦ ଯବାନ ସହିଦ ହେଲେଣି।

You might also like