ତୁର୍କୀରେ ଭୂକମ୍ପ: ୩ ହଜାର ୭ଶହକୁ ଟପିଲା ମୃତ୍ୟୁ ସଂଖ୍ୟା, ଜାରି ରହିଛି ରେସକ୍ୟୁ ଅପରେସନ୍‌

ନୂଆଦିଲ୍ଲୀ : ଭୂମିକମ୍ପରେ ଛାରଖାର ତୁର୍କୀ ଓ ସୁରିଆ । ବହୁ ଅଞ୍ଚଳ ଧ୍ୱଂସସ୍ତୁପ । ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୩ହଜାର ୭ଶହ ଜୀବନ ଗଲାଣି । ତୁର୍କୀରେ ବର୍ତ୍ତମାନ ସୁଦ୍ଧା ୨୩ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୪ ହଜାରରୁ ଅଧିକ । ସେହିପରି ସିରିଆରେ ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଆଗକୁ ଆହୁରି ବଢ଼ିବ ମୃତ୍ୟୁସଂଖ୍ୟା । ଗତକାଲିଠାରୁ ଜାରି ରହିଛି ରେସକ୍ୟୁ ଅପରେସନ୍‌ । ଧ୍ୱଂସାବଶେଷ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍‌ । ଯୁଆଡ଼େ ଚାହିଁଲେ କେବଳ ଧ୍ୱଂସର ଚିତ୍ର। ହଜାର ହଜାର ପରିବାର ବାସହରା । ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ ।

ଭୂମିକମ୍ପ ପ୍ରଭାବିତ ତୁର୍କୀ ଓ ସିରିଆରେ ରାତିରେ ଲୋକ ରାସ୍ତାରେ ବସି ରହିଥିବା ଦେଖିବାକୁ ମିଳିଛି । ତୁର୍କୀରେ ପ୍ରାୟ ୫ ହଜାର ବିଲଡିଂ ମାଟିରେ ମିଶିଛି । ଧ୍ୱଂସାବଶେଷ ତଳୁ ୮ହଜାର ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି ରେସକ୍ୟୁ ଟିମ୍‌ । ଶହଶହ ବର୍ଷର ଅନେକ ଐତିହ୍ୟ ମାଟିରେ ମିଶିଯାଇଛି । ସ୍ଥିତି ଏତେ ଗମ୍ଭୀର ଯେ ମୁକାବିଲା ପାଇଁ ତୁର୍କୀ ଓ ସିରିଆ ଅସହାୟ । ତୁର୍କୀରେ ୯ଟି ପ୍ରଦେଶ ଛାରଖାର ହୋଇଛି । ଆମେରିକା, ଭାରତ ସମେତ ବହୁ ଦେଶ ଉଦ୍ଧାର କାର୍ଯ୍ୟରେ ସହାୟତା ଘୋଷଣା କରିଛନ୍ତି । ଗତକାଲି ୭.୮ ତୀବ୍ରତାର ଭୂକମ୍ପ ପରେ ୪୦ରୁ ଅଧିକ ଥର ପଶ୍ଚାତ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ବି କିଛି କମ୍‌ ନଥିଲା । ସଂଧ୍ୟାରେ ପୁଣି ତର୍କୀକୁ ଦୋହଲାଇ ଦେଇଛି ୭.୫ ତୀବ୍ରତାର ଭୂକମ୍ପ । ପୂର୍ବରୁ ୧୯୯୯ରେ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିରେ ୧୭ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।