ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ପୋଲିସ-ମାଓବାଦୀ ଗୁଳିବିନିମୟ, ୭ ନକ୍ସଲ ନିହତ

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର । ୭ ମାଓବାଦୀ ସଫା । ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି । ଆଜି ସକାଳୁ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ ।  ଏଥିରେ ସୁରକ୍ଷାବାହିନୀ ଗୁଳିରେ ୭ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି । ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ସୂଚନା ମିଳିଥିଲା ।

ଆଜି ଭୋର ୩ଟା ବେଳେ ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ନକ୍ସଲମାନେ ତାଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଥିଲେ ।  ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଥିଲେ ।  ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏବେବି ଗୁଳି ବିନିମୟ ଜାରି ରହିଛି ।

ଏନେଇ ଦାନ୍ତେୱାଡା ଏସପି ଗୌରବ ରାୟ କହିଛନ୍ତି ଯେ ଅବୁଝମାଡ଼ର ଦକ୍ଷିଣ ଅଞ୍ଚଳରେ ପୂର୍ବ ବସ୍ତର ଡିଭିଜନ ଏବଂ ଇନ୍ଦ୍ରାବତୀ କ୍ଷେତ୍ର କମିଟିର ମାଓବାଦୀଙ୍କ ଉପସ୍ଥିତି ରହିଥିବା ଜଣାପଡ଼ିଥିଲା ।  ଏହି ସୂଚନା ଉପରେ ଏକ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ କରାଯାଇଛି ।  ଏହି ଅପରେସନର ଏକ ଅଂଶ ଭାବରେ ନାରାୟଣପୁର, ଦାନ୍ତେୱାଡା, ବସ୍ତର ଏବଂ କୋଣ୍ଡାଗାଓଁ ଜିଲ୍ଲାର ଦିଆରଜି ଟିମ୍ ସହିତ ଏସ୍ଟିଫ ଏବଂ ସିଆରପିଏଫର ମିଳିତ ଦଳ ଗତ ଦୁଇ ଦିନ ତଳେ ଦକ୍ଷିଣ ଆବୁଜାମାଡ ଅଞ୍ଚଳକୁ ପଠାଯାଇଥିଲା ।