ଗରିବଙ୍କୁ ୨ ବଖରା ଘର, ମହିଳାଙ୍କୁ ପ୍ରତି ମାସରେ ୨୦୦୦ ଟଙ୍କା; ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର

ପ୍ରତିଶ୍ରୁତି ପେଡ଼ି ଖୋଲିଲା କଂଗ୍ରେସ । ହରିୟାଣା ନିର୍ବାଚନକୁ ନେଇ କଂଗ୍ରେସ ଜାରି କରିଛି ଗ୍ୟାରେଣ୍ଟି ପତ୍ର । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ଦଳର ସାତଟି ଗ୍ୟାରେଣ୍ଟି ଜାରି କରିଛନ୍ତି । କଂଗ୍ରେସ କହିଛି ଯେ ରାଜ୍ୟରେ ଯଦି ଆମ ସରକାର ଗଠନ ହୁଏ, ତେବେ ଗରିବଙ୍କୁ ୨ ବଖରା ଘର ମିଳିବ ଏବଂ ମହିଳାମାନଙ୍କୁ ପ୍ରତି ମାସରେ ୨,୦୦୦ ଟଙ୍କା ପ୍ରଦାନ କରାଯିବ ।

ହରିୟାଣା କଂଗ୍ରେସର ପ୍ରଭାରୀ ଦୀପକ ବାୱରିଆ କହିଛନ୍ତି ଯେ ହରିୟାଣାରେ ଅପରାଧ ବୃଦ୍ଧି ପାଇଛି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମାସକୁ ୨ ହଜାର ଟଙ୍କା ଦିଆଯିବ । ୧୮ ବର୍ଷରୁ ୬୦ ବର୍ଷର ମହିଳାମାନେ ଏଥିପାଇଁ ଯୋଗ୍ୟ ହେବେ ।

ମହଙ୍ଗା ବୋଝକୁ ହ୍ରାସ କରିବା ପାଇଁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦିଆଯିବ । ଲୋକଙ୍କ ଅସୁବିଧା ଦୂର ପାଇଁ ବୃଦ୍ଧବ୍ୟକ୍ତି, ଦିବ୍ୟାଙ୍ଗ ଏବଂ ବିଧବାମାନଙ୍କୁ ୬,୦୦୦ ଟଙ୍କା ପେନସନ୍ ଦିଆଯିବ । ଅବସରପ୍ରାପ୍ତ କର୍ମଚାରୀଙ୍କ ଜୀବନକୁ ସହଜ କରିବା ପାଇଁ OPS ଲାଗୁ କରାଯିବ । ପୁରୁଣା ପେନ୍‌ସନ୍‌ ଯୋଜନା (ଓପିଏସ୍‌) ପୁନରୁଦ୍ଧାର ହେବ ।

ଯୁବକମାନଙ୍କୁ ମଧ୍ୟ ଏକ ଉତ୍ତମ ଭବିଷ୍ୟତ ପ୍ରଦାନ କରାଯିବ । ୨ ଲକ୍ଷ ଖାଲି ପଦବୀ ପୂରଣ ହେବ । ହରିୟାଣାକୁ ନିଶାମୁକ୍ତ କରାଯିବ । ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ ।

ଏହା ବ୍ୟତୀତ ଜାତି ଗଣନା କରାଯିବ । ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ଗ୍ୟାରେଣ୍ଟି ଦିଆଯିବ ଏବଂ ତୁରନ୍ତ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କଂଗ୍ରେସ ନିଜ ଗ୍ୟାରେଣ୍ଟି ପତ୍ରରେ ପ୍ରତିଶ୍ରୁତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like