ଋଷି କୁମାରଙ୍କୁ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତିକୁ ନେଇ ବିବାଦ, ଆପତ୍ତି ଉଠାଇଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ବହୁ କସରତ ଭିତରେ ସିବିଆଇ ପାଇଁ ମିଳିଲା ନୂଆ ନିର୍ଦ୍ଦେଶକ । ୧୯୮୩ ବ୍ୟାଚର ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ହେବେ ନୂଆ ସିବିଆଇ ବସ୍ । ଋଷିଙ୍କ ନାଁରେ ସିଲେକ୍ସନ କମିଟି ମୋହର ମାରିଛି । ତେବେ ତାଙ୍କ ନିଯୁକ୍ତିକୁ ନେଇ ଏବେ ଦେଖାଦେଉଛି ବିବାଦ । ନିଯୁକ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ଉଲ୍ଲେଖ କରିଛନ୍ତି, ଦୁର୍ନୀତି ସମ୍ପର୍କିତ ମାମଲାର ତଦନ୍ତରେ ଋଷି କୁମାରଙ୍କ ଅଭିଜ୍ଞତା ନାହିଁ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସିଲେକସନ୍ କମିଟି ରିଷି କୁମାକ ଶୁକ୍ଳାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଥିଲେ । ମଧ୍ୟପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚର ଆଇପିଏସ୍ ଅଫିସର ଋଷି । ପୂର୍ବରୁ ଋଷି ମଧ୍ୟପ୍ରଦେଶର ଡିଜିପି ଥିଲେ । ସେ ଦୁଇ ବର୍ଷ ପାଇଁ ସିବିଆଇ ମୁଖ୍ୟ ପଦବୀରେ ରହିବେ । ଦେଶର ସର୍ବବୃହତ ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା ବଜାୟ ରଖିବା ଋଷିଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ହେବ ।