ପଶ୍ଚିମବଙ୍ଗ ବିଧାନସଭାରେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଲ୍ ଉପସ୍ଥାପିତ, ୧୦ ଦିନରେ ଦୋଷୀଙ୍କୁ ଫାଶୀଦଣ୍ଡ ବ୍ୟବସ୍ଥା
କୋଲକାତା ଆରଜି କର ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ନ୍ୟାୟ ଦାବି ତେଜିବାରେ ଲାଗିଛି । ଏଭଳି ସମୟରେ ମମତା ବାନାର୍ଜୀ ସରକାର ଆଣିଛନ୍ତି ‘ଅପରାଜିତା ବିଲ୍’ । ଏହି ବିଲରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି । ବିତର୍କ ପାଇଁ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ ସରକାର । ବିଲରେ ୧୦ ଦିନ ମଧ୍ୟରେ ଦୁଷ୍କର୍ମକାରୀ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରାଧାନ୍ୟ ରହିଛି । ଏହାର ନାମ ‘ଅପରାଜିତା ଓମେନ୍ ଆଣ୍ଡ ଚାଇଲ୍ଡ ବିଲ-୨୦୨୪’ ରଖାଯାଇଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲକୁ ଐତିହାସିକ ବୋଲି କହିଛନ୍ତି । ଗୃହରେ ଏହି ବିଲକୁ ସମର୍ଥନ କରିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ଦୁଷ୍କର୍ମ ଘଟଣା ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ସମସ୍ତ ବିଧେୟକକୁ ସମର୍ଥନ କରିବ ବୋଲି କହିଛି ବିଜେପି ।
ମମତା ସରକାରଙ୍କ ନୂତନ ବିଲ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ଏବଂ ପୋକ୍ସୋ (POCSO)ରେ ସଂଶୋଧନ କରୁଛି । ଯଦି ‘ଅପରାଜିତା ମହିଳା ଏବଂ ଶିଶୁ (ପଶ୍ଚିମବଙ୍ଗ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ) ବିଲ୍ ୨୦୨୪’ ଏକ ଆଇନରେ ପରିଣତ ହୁଏ, ତେବେ ସମଗ୍ର ପଶ୍ଚିମବଙ୍ଗରେ ଏହା କାର୍ଯ୍ୟକାରୀ ହେବ ।
ଏହି ସଂଶୋଧନ ମାଧ୍ୟମରେ ମହିଳା ଏବଂ ଶିଶୁଙ୍କ ପ୍ରତି ହୋଇଥିବା ସମସ୍ତ ଯୌନ ଅପରାଧକୁ ଜାମିନବିହୀନ କରାଯିବ । ଏହାର ଅର୍ଥ, ଏଭଳି ଅପରାଧରେ ପୋଲିସ ବିନା କୌଣସି ୱାରେଣ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ଏବଂ ଜାମିନ ପାଇବା ତାଙ୍କ ପାଇଁ କଷ୍ଟକର ହେବ ।
ଅନ୍ୟପଟେ ପୀଡିତାଙ୍କ ନ୍ୟାୟ ପାଇଁ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ଜାରି ରଖିଛନ୍ତି ଜୁନିୟର ଡାକ୍ତର । ଗତକାଲି ଅନିୟମିତତା ମାମଲାରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା ସିବିଆଇ ।